10 Mar 2026, Tue

ଚାରା ରୋପଣ ପାଇଁ ଜଙ୍ଗଲ ସଚିବ ଗାଇଲେ ମା’ ପାଇଁ ଗଛଟିଏ; ୧୭ରେ ସାରା ରାଜ୍ୟରେ ଲାଗିବ ୭୫ ଲକ୍ଷ ଚାରା

ଭୁବନେଶ୍ବର : ପରିବେଶ ସୁରକ୍ଷା କରିବା ପାଇଁ ଲଗାଯିବ ଚାରା। ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ଗୋଟିଏ ଦିନରେ  ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଚାରା ଲାଗିବ। ଏହି ଅଭିଯାନକୁ ସଫଳ କରିବା ସହ ପ୍ରକୃତିର ସୁରକ୍ଷା ଲାଗି ଲୋକଙ୍କୁ ପ୍ରବର୍ତ୍ତାଇବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ  ଅଭିନବ ପ୍ରୟାସ କରିଛନ୍ତି। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନିକଟରେ ଲୋକାର୍ପଣ ହୋଇଥିବା ଷ୍ଟୁଡିଓରେ ଗାଇଛନ୍ତି ମା’ ପାଇଁ ଗଛଟିଏ ସଙ୍ଗୀତ। ଶ୍ରୀ ସାହୁ ଷ୍ଟୁଡିଓ ଗସ୍ତ କରିବା ପୂର୍ବକ ମା’ ପାଇଁ ଗଛଟିଏ ଗୀତ ଗାନ କରିଛନ୍ତି। ‘ଗୋଟିଏ ଅକ୍ଷର ଗୋଟିଏ ଶବଦ ଗୋଟିଏ ଅଭିଧାନ ସିଏ, ମା’ ପରି ଆଉ ଏଇ ଦୁନିଆରେ ହୋଇପାରେ କୁହ କିଏ, ସେ ମାଆର କୋଳ ବରଗଛ ତଳ ସବୁବେଳେ ଛାଇ ଦିଏ, ଆସ ଲଗେଇବାରେ…. ମା’ ପାଇଁ ଗଛଟିଏ’। ଶହେ ଜନମର ସୁଝି ହେବ ନାହିଁ, ମାଆର ମମତା ଋଣ, ଗଛପରି ସିଏ ଫୁଲଫଳ ଦେଇ ଏଦେହେ ଭରିଚି ପ୍ରାଣ, ଜାଣେ ଅନୁଭବି ହୋଇଗଲା ଦେବୀ, ସବୁଦେଇ ଦେଇ ସିଏ, ଆସ ଲଗାଇ ଦେବାରେ ମା’ ପାଇ ଗଛଟିଏ। ଗଛ ଡାଳରେ କୁଟାର କାଠିରେ ଚଢ଼େଇତ ବାନ୍ଧେ ବସା, ମାଆର ମନରେ ବସା ବାନ୍ଧିଛିରେ, ଆମ ପାଇ କେତେ ଆଶା। ଗଛ ଆଉ ମାଆ, ଆମାରତ ସାହା, ଏଜୀବନ ଥିବା ଯାଏ. ଆସ ଲଗାଇ ଦେବାରେ ମାଆ ପାଇଁ ଗଛ ଟିଏ’।

ଏହି ସଙ୍ଗୀତକୁ ଗୀତିକାର ଅରୁଣ ମନ୍ତ୍ରୀ ରଚନା କରିଥିବାବେଳେ ସଙ୍ଗୀତରେ ସଜାଇଛନ୍ତି ଗୁରୁ ବିଜୟ ଜେନା। ଏହି ଅଭିଯାନରେ ଜନସାଧାରଣ କିଭଳି ଭାବେ ସକ୍ରିୟ ଅଂଶଗ୍ରହଣ କରିବେ ସେଥିପାଇଁ ପ୍ରଚେଷ୍ଟା କରିଛନ୍ତି ସାହୁ। ଶ୍ରୀ ସାହୁ ଗୀତ ଜରିଆରେ ଚାରା ଲଗାଇବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି। ଗୀତଟି ରେକର୍ଡିଂ ସରିଥିବାବେଳେ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଓଡ଼ିଶାର ସବୁ ପଞ୍ଚାୟତରେ ୩୬ ଲକ୍ଷ ଚାରା ରୋପଣ ପାଇଁ  ବ୍ୟବସ୍ଥା କରାଯାଇଛି। ଏହି ଚାରା ପଞ୍ଚାୟତକୁ ପଠା ଚାଲିଛି। ଏହି ଚାରାରୋପଣ ଅଭିଯାନରେ ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି, ବ୍ୟାଙ୍କ କର୍ମଚାରୀ, ଜଙ୍ଗଲ ବିଭାଗ, କୃଷି ବିଭାଗ ସହ ବହୁ ସରକାରୀ ଓ ବେସରକାରୀ ସଂସ୍ଥା ବହୁଳ ଭାବେ ଅଂଶ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *