3 Mar 2026, Tue

ଆନ୍ଧ୍ରପ୍ରଦେଶ ଦଳାଚକଟା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଓଡ଼ିଆ ଯୁବତୀ

 ଗଞ୍ଜାମ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରୁପାଙ୍କ ମରଶରୀରକୁ ଗାଁକୁ ଅଣାଯାଇଛି। ୨୧ ବର୍ଷୀୟା ରୁପା ହେଉଛନ୍ତି ଆର. ଡିଲେସୁଙ୍କ ଝିଅ। ଡିଲେସୁ ବିବାହ କରିବାର ୨୦ ବର୍ଷ ପରେ ଏକମାତ୍ର ସନ୍ତାନ ଭାବେ ରୁପା ଜନ୍ମ ନେଇଥିଲେ। ତାଙ୍କ ବିୟୋଗରେ ଡିଲେସୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ଦୁଇବର୍ଷ ତଳେ ତାଙ୍କ ମା’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ସୂଚନାଯୋଗ୍ୟ, ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିର ଭିତରେ ଶୁକ୍ରବାର ଦଳାଚକଟା ଘଟିଥିଲା। ଏକାଦଶୀ ଉପଲକ୍ଷେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ପ୍ରବଳ ଭିଡ଼ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ପ୍ରଥମେ ଏଥିରେ ୯ଜଣଙ୍କ ପ୍ରାଣହାନୀ ହୋଇଥିଲା। ଅନେକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆହତଙ୍କୁ ତ୍ଵରିତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *