18 Mar 2026, Wed

ଗୁଳିଚୋଟରେ କୁଖ୍ୟାତ ଅପରାଧୀ ଟିମା ଝାଙ୍କର ଆହତ

ରେଢାଖୋଲ : ଆଜି ଭୋର୍‌ ସକାଳୁ ସମ୍ବଲପୁର ପୁଲିସ କୁଖ୍ୟାତ ଅପରାଧୀ ଟିମା ଝାଙ୍କର ଓରଫ ଧନେଶ୍ବର ଝାଙ୍କରକୁ ଏନ୍‌କାଉଣ୍ଟର କରିଛି। ପୁଲିସ ସକାଳ ପ୍ରାୟ ୫ଟା ୪୫ ସମୟରେ ଅଭିଯୁକ୍ତ ଏବଂ ତାଙ୍କର ୩ ସହଯୋଗୀଙ୍କୁ ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଠାବ କରିଥିଲେ। ପୁଲିସ ଦଳ ଦ୍ୱାରା ଚ୍ୟାଲେଞ୍ଜ କରାଯିବା ପରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲା। ସେ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲା।

ଆତ୍ମରକ୍ଷା ପାଇଁ ପୁଲିସ  ଗୁଳି ଚାଳନା କରିଥିଲା। ଏହି ସମୟରେ ଅଭିଯୁକ୍ତଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଅଭିଯୁକ୍ତ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଅନ୍ୟପଟରେ ପୁଲିସ ମଧ୍ୟ ନିୟନ୍ତ୍ରିତ ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣାସ୍ଥଳରୁ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ପୋଲିସ ଗୋଟିଏ ପିସ୍ତଲ ସହିତ ଜୀବନ୍ତ ଗୁଳି, ଗୋଟିଏ ବୋଲେରୋ, ଏକ ତାର କଟର ଏବଂ ବିଦ୍ୟୁତ୍ ପରିବହନ ତାର କାଟିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରିଛି। ଆହତ ଅଭିଯୁକ୍ତ ଟିମା @ ଧନେଶ୍ୱର ଝାଙ୍କରଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଟିମା ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଅପରାଧ ଏବଂ ଆଲୁମିନିୟମ କଣ୍ଡକ୍ଟର ତାର ଚୋରି ସମେତ ୪୧ରୁ ଅଧିକ ଅପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *