Aadyasha News Desk ; କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି । ସବୁ ଦିନ ପାଇଁ ନୀରବି ଯାଇଛି ଭଏସ୍ ଅଫ୍ ବଲିଉଡ୍ । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଏମର୍ଜେନ୍ସି ବିଭାଗରେ ଆଶାଙ୍କର ଚିକିତ୍ସା ଚାଲିଥିଲା । ଛାତିରେ ସଂକ୍ରମଣ କାରଣରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିବା ନାତୁଣୀ ଜାନାଇ ଭୋସଲେ ସୂଚନା ଦେଇଥିଲେ । ଆଜି ୯୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ମେଲୋଡି କ୍ୱିନ୍ ଆଶା ଭୋସଲେ । ଏ ନେଇ ଆଶାଙ୍କ ପୁଅ ଆନନ୍ଦ ଭୋସଲେ ସୂଚନା ଦେଇଛନ୍ତି । ଆଶାଙ୍କ ବିୟୋଗରେ ଗୋଟିଏ ଯୁଗର ଅନ୍ତ ହୋଇଛି । ଆଶାଙ୍କୁ ହରାଇ ଶୋକରେ ବୁଡିଛି ବଲିଉଡ
ଆଶା ଭୋସଲେଙ୍କ ଗୀତ କଥା କହିବାକୁ ଗଲେ, ଗାୟିକା ତାଙ୍କ ଭଉଣୀ ଲତା ମଙ୍ଗେସକରଙ୍କୁ ଅନୁସରଣ କରିଥିଲେ । ପ୍ରଚୁର ଖ୍ୟାତି ଅର୍ଜନ କରିଥିଲେ । ୧୦ ବର୍ଷ ବୟସରେ, ସେ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ, ଯାହା ମରାଠୀ ଭାଷାରେ ଥିଲା । ସେବେଠାରୁ, ସେ କେବେ ପଛକୁ ଫେରି ଚାହିଁ ନଥିଲେ, ୮୨ ବର୍ଷର କ୍ୟାରିଅରରେ ପ୍ରାୟ ୧୨,୦୦୦ ଗୀତ ଗାଇଥିଲେ । କଳା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଶା ଭୋସଲେଙ୍କ ସବୁଠାରୁ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ “ମେରା କୁଚ୍ ସାମନ୍”, “ପ୍ୟାର୍ ମେନ୍ ରେହେନ୍ ଡୋ”, “ଦମ୍ ମାରୋ ଦମ୍”, “ପିୟା ବାୱ୍ରି” ଆଜି ବି ଶ୍ରୋତାଙ୍କ ହୃଦୟରେ ଘର କରିଛି ।
୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିତ ଆଶା ଭୋସଲେ ଭାରତୀୟ ସିନେମା ଜଗତର ଖ୍ୟାତନାମା ଗାୟିକାଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ । ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ଏହାଛଡ଼ା ‘ଉମରାଓ ଜାନ୍’ ଏବଂ ‘ଇଜାଜତ୍’ ଫିଲ୍ମ ଲାଗି ସେ ଦୁଇଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି ।
ଆଶା ଭୋସଲେଙ୍କ ବ୍ୟକ୍ତିଗତ କଥା କହିବାକୁ ଗଲେ, ତାଙ୍କର ବୃତ୍ତିଗତ ଜୀବନ ବହୁତ ସଫଳ ଥିଲା, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା । ସେ ପ୍ରଥମେ ୧୯୪୯ ମସିହାରେ ଗଣପତରାଓଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ଏମାନେ ଅଲଗା ହୋଇଗଲେ । ତା’ପରେ ଗାୟିକା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ । ତାଙ୍କ ପରଲୋକ ସଂଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

