ଭୁବନେଶ୍ୱର : ପ୍ରକାଶ ପାଇଛି ଓପିଏସସି ଓସିଏସ୍ ୨୦୨୪ ପରୀକ୍ଷା ରେଜଲ୍ଟ । ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS)-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ସୁପାରିଶ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୨୦୦ ଜଣ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ପ୍ରଶାସନିକ ପଦବୀ ପାଇଁ ସୁପାରିଶ କରାଯାଇଛି । ଏହି ତାଲିକାରେ ୭୮ ଜଣ ମହିଳା ଅଛନ୍ତି ।
ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁଅ ଥିବା ବେଳେ ୪ ଜଣ ଝିଅ ଅଛନ୍ତି । ବୁବୁନ ସାହୁ ଓସିଏସ୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୋଭନା ମହାନ୍ତି, ତୃତୀୟରେ ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଞ୍ଚମରେ ସଂଗ୍ରାମ ପ୍ରଧାନ ଅଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ଅମନ ଗୋୟଲ, ସପ୍ତମ ସ୍ଥାନରେ ସନ୍ତନୁ କୁମାର ଶତପଥୀ, ଅଷ୍ଟମ ସ୍ଥାନରେ ନୀତେଶ କୁମାର ବାରିକ, ନବମ ସ୍ଥାନରେ ଶୀତଲ ପାତ୍ର ଏବଂ ଦଶମ ସ୍ଥାନରେ ଇତିଶ୍ରୀ ଜେନା ଅଛନ୍ତି ।
ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜ୍ଞାପନ ସଂଖ୍ୟା ୦୭/୨୦୨୪-୨୫ ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୦ରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ମେ’ ୧୪ରୁ ମେ’ ୨୦ ଯାଏଁ ଇଣ୍ଟରଭ୍ୟୁ ପର୍ଯ୍ୟାୟ ହୋଇଥିଲା । ମୋଟ ସୁପାରିଶ କରାଯାଇଥିବା ୨୦୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ମହିଳା ରହିଛନ୍ତି । ବିଜ୍ଞାପିତ ପଦବୀ ତୁଳନାରେ ଚଳିତ ବର୍ଷ ମହିଳାମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି ।
ପରୀକ୍ଷାର୍ଥୀମାନେ ନିଜର ସମ୍ପୂର୍ଣ୍ଣ ଫଳାଫଳ ଓଡ଼ିଶା ଲୋକସେବା ଆୟୋଗର ସରକାରୀ ୱେବସାଇଟ୍ opsc.gov.inକୁ ଯାଇ ଦେଖିପାରିବେ । ତେବେ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରୋଭିଜନାଲ୍ ଅଟେ । ପରବର୍ତ୍ତୀ ସମୟରେ ଯୋଗ୍ୟତା ପ୍ରମାଣପତ୍ର ଓ ମେଡିକାଲ୍ ପରୀକ୍ଷା ଯାଞ୍ଚ ପରେ ହିଁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

