21 Sep 2026, Mon

₹୨,୧୦୦ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ; ଛାତ୍ରଛାତ୍ରୀଙ୍କୁ ମଧ୍ୟ ସହଯୋଗ ପାଇଁ ଆହ୍ୱାନ

ରେଢ଼ାଖୋଲ: ମାନବିକତା ଓ ସାମାଜିକ ଦାୟିତ୍ୱର ଏକ ଉଦାହରଣ ସୃଷ୍ଟି କରିଛନ୍ତି ରେଢ଼ାଖୋଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶନୀ ରାଉତ। ରାକ୍ଷୀ ପାଇଁ ତାଙ୍କ ଭାଇ ଦେଇଥିବା ୨,୧୦୦ ଟଙ୍କାକୁ ସେ ନିଜ ପାଖରେ ନରଖି ନେପାଳର ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି।

ଆଦ୍ୟାଶା ତାଙ୍କ ମାଆ ରଶ୍ମିତା ରାଉତ ଓ ବାପା ସରୋଜ ରାଉତଙ୍କ ସହ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଅର୍ଥରାଶି ପ୍ରଦାନ କରିଥିଲେ।

ଆଦ୍ୟାଶାଙ୍କ ଏହି ମାନବିକ ପଦକ୍ଷେପକୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ପ୍ରଶଂସା କରିଥିଲେ। ତାଙ୍କ ଏହି ଉଦାହରଣରୁ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରେରଣା ନେଇ ସମାଜର ଆବଶ୍ୟକତା ସମୟରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ।

ଆଦ୍ୟାଶା କହିଛନ୍ତି ଯେ, ନେପାଳ ଭଳି ପଡ଼ୋଶୀ ଦେଶ ଏଭଳି ଦୁର୍ଦ୍ଦିନର ସମ୍ମୁଖୀନ ହେଉଥିବା ସମୟରେ ଭାରତର ଛାତ୍ରଛାତ୍ରୀମାନେ ମଧ୍ୟ ମାନବିକତାର ପରିଚୟ ଦେବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ନିଜ ପକେଟ୍ ମନିରୁ ସାମାନ୍ୟ ଅର୍ଥ ସଞ୍ଚୟ କରି ରିଲିଫ୍ ପାଣ୍ଠିକୁ ଦାନ କରି ନେପାଳର ବନ୍ୟା ପୀଡ଼ିତଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ଏକ ଛାତ୍ରୀଙ୍କ ଏହି ଛୋଟ ପଦକ୍ଷେପ ମାନବିକତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱର ଏକ ବଡ଼ ବାର୍ତ୍ତା ଦେଇଛି। ଆଦ୍ୟାଶାଙ୍କ ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ବିଷୟ ହୋଇଛି।

 

 

 

Leave a Reply

Your email address will not be published. Required fields are marked *