12 Mar 2026, Thu

ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

  ସମ୍ବଲପୁର :  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା। ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା। ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ।
ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ଗାଁରୁ ସହର, ସବୁଠି ଚାଲିଛି ପ୍ରସ୍ତୁତି। ଗୁରୁବାର ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରଦ୍ବାର ଖୋଲି ଦିଆଯିବ ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଥିଲେ।
ଆଜି ନୂଆଁଖାଇ ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିବେ। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପକୁ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କୌଣସି ଭକ୍ତ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ଗୋଟିଏ ଦନା କାନିକା ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *