ଭୁବନେଶ୍ୱର : ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହୋଇପାରେ । ସୋମବାର ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗକୁ ସପ୍ତାହ ଯାଏ ପ୍ରବଳ ବର୍ଷା ଥିବାରୁ ସବୁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ।

କେବଳ ଓଡ଼ିଶା ନୁହେଁ, ୮ ତାରିଖ ଯାଏ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ୪ରୁ ୮ ତାରିଖ ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ । ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ଜଳସ୍ତର ପୁଣି ବଢ଼ିପାରେ । ଏଥିପାଇଁ ସତର୍କ ରହି ଆଗୁଆ ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଅଛି ।
୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ୮ ଓ ୯ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା ଅଛି । ୩ରୁ ୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବ । ମୌସୁମୀ ସକ୍ରିୟ ଥିବାରୁ ଏହା ପ୍ରଭାବରେ ବର୍ଷା ହେବ । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ୫ରୁ ୮ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି ।
ଗତ ୨୪ ଘଣ୍ଟାରେ ଦେବଗଡ଼ରେ ସର୍ବାଧିକ ୪୪.୨ ମିମି ବର୍ଷା ହୋଇଛି । ତାଳଚେରରେ ୨୦ ଓ ସମ୍ବଲପୁରରେ ୧୨ ମିମି ବର୍ଷା ହୋଇଛି । ଗତ ଜୁନ୍ ୧ତାରିଖରୁ ଅଗଷ୍ଟ ୨ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୩୦% ଅଧିକ ବର୍ଷା ହୋଇଛି । ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ଅତି ଭୀଷଣ ବର୍ଷା ହୋଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ଭୀଷଣ ବର୍ଷା ହୋଇଛି । କେବଳ ଗଜପତି, ନବରଙ୍ଗପୁର ଓ ମାଲକାନଗିରିରେ ବର୍ଷା ନିଅଣ୍ଟିଆ ରହିଛି ।

