7 Mar 2026, Sat

ଭୂକମ୍ପ ରେ ଥରିଲା ଗୁଆହାଟୀ, ନେପାଳ ଓ ଭୁଟାନ

ଗୁଆହାଟୀ : ଆସାମରେ  ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।   ଏହି ଭୂକମ୍ପର କେନ୍ଦ୍ର ଉଦଲଗୁରୀ ଜିଲ୍ଲାର ଖାରୁପେଟିଆ ନିକଟରେ ଥିଲା। ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ତଳେ ରହିଥିବା ଜାତୀୟ ଭୂ-ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗୁଆହାଟୀ ସମେତ ସମଗ୍ର ରାଜ୍ୟରେ କମ୍ପନ ଅନୁଭୂତ ହୋଇଥିବା ବେଳେ  ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ, ଅରୁଣାଚଳ ପ୍ରଦେଶ, ପଡ଼ୋଶୀ ଭୁଟାନ ଓ  ନେପାଳରେ ମଧ୍ୟ ଅନୁଭୂତ ହୋଇଛି।

ଗୁଆହାଟୀରେ ସ୍ଥାନୀୟ ଲୋକମାନେ ଭୟରେ ଘର ବାହାରକୁ ଦୌଡ଼ି ଆସିଥିଲେ। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କୌଣସି ସ୍ଥାନରୁ ଭୂକମ୍ପଜନିତ ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛି। ଉଦଲଗୁରୀ ଅଞ୍ଚଳରେ କମ୍ପନ ଅତି ତୀବ୍ର ରହିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ଜୁଲାଇରେ ଏହି ଅଞ୍ଚଳରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ୨୦୨୧ ଏପ୍ରିଲରେ ରାଜ୍ୟରେ ୬.୪ ତୀବ୍ରତାର ଭୂମିକମ୍ପ
ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

Leave a Reply

Your email address will not be published. Required fields are marked *