3 Mar 2026, Tue

ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍‌ ସୁଶୀଲ ଦାସଙ୍କ ପରଲୋକ

ରାଉରକେଲା କାର୍ଯ୍ୟାଳୟ   : ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍‌ ତଥା ବିଶିଷ୍ଟ ପ୍ରଶିକ୍ଷକ ସୁଶୀଲ ଦାସଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ୮ ମାସ ହେଉଥିଲା। ବହୁଦିନ ହେଲା ସ୍ବାସ୍ଥ୍ୟଜନିତ କାରଣରୁ ସେ ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ କଟକସ୍ଥ ଏସ୍‌ସିବି ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଥିଲେ।

୧୯୮୫ ମସିହାରେ ଇଜିପ୍ଟର କେରୋରେ ଆୟୋଜିତ ‘୧୮୫ କିଲୋମିଟର ବିଶ୍ୱ ରୋଡ୍‌ ରେସ୍‌’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ଏକମାତ୍ର ପ୍ରତିଯୋଗୀଭାବେ ଅଂଶଗ୍ରହଣ କରିବାସହ ୪ ଶହ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ୩୬ତମ ସ୍ଥାନରେ ରହିଥିଲେ। ୧୯୮୨ ଦିଲ୍ଲୀ ଏସିଆନ୍‌ ଗେମ୍‌ସରେ ସେ ଭାରତୀୟ ଦଳସହ ସାମିଲ ହେବାସହ ରିଜର୍ଭ୍‌ ଖେଳାଳି ଥିଲେ।

ଶ୍ରୀ ଦାସ ୧୯୮୬ ନଭେମ୍ବର ୪ ତାରିଖରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିବାବେଳେ ୨୦୨୫ ଜାନୁଆରି ୩୧ ତାରିଖରେ ଅବସର ନେଇଥିଲେ। ସେ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗରେ ବରିଷ୍ଠ ଫିଲ୍‌ଡ ଆସିଷ୍ଟାଣ୍ଟ୍‌ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀ ଦାସ କେବଳ ଅଭିଜ୍ଞ ପ୍ରଶିକ୍ଷକ ନୁହନ୍ତି ବରଂ, ଏକାଧିକ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍‌ ସୃଷ୍ଟି କରିଛନ୍ତି। ତାଙ୍କ ତତ୍ତ୍ବାବଧାନରେ ସ୍ବସ୍ତି ସିଂ, ଦିନେଶ କୁମାର, ରୋହିତ ହେମ୍ବ୍ରମ, ଆର୍‌.ଏଚ୍‌. ଉପାସନା, ଶାଶ୍ଵତ ପାତ୍ର, ଏସ. କୀର୍ତ୍ତିରଞ୍ଜନ, ପ୍ରତିଶ ବାର୍କେଙ୍କ ସମେତ ଏକାଧିକ ସାଇକ୍ଲିଷ୍ଟ ସୃଷ୍ଟି ହୋଇଛନ୍ତି।

Leave a Reply

Your email address will not be published. Required fields are marked *