Aadyasha News Desk : ନାଗ୍ ଅଶ୍ୱିନୀଙ୍କ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲ୍ରୁ ବାହାରିଛନ୍ତି ଦୀପିକା ପାଦୁକୋନ । ଫିଲ୍ମର ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ମୁଭିଜ୍ ଏକ୍ସ ପ୍ଲାଟ୍ଫର୍ମରେ ଏ ନେଇ ଔପଚାରିକ ସୂଚନା ଜାରି କରିଛି । ଫିଲ୍ମର ପ୍ରଥମ ଭାଗରେ ଦୀର୍ଘ ସମୟ ଧରି କାମ କରିବା ସତ୍ତେ୍ୱ ଦୀପିକାଙ୍କ ସହ ସହଭାଗିତା ବଜାୟ ରଖିବାରେ ଏହା ବିଫଳ ହୋଇଥିବା ଘୋଷଣା କରିଛି । ‘କଲ୍କି ୨୮୯୨ ଏଡି’ ଭଳି ଫିଲ୍ମ ପ୍ରତିବଦ୍ଧତା ଓ ଅଧିକ ସପର୍ମଣ ଭାବ ଆବଶ୍ୟକ କରୁଥିବାରୁ ଦୀପିକାଙ୍କ ସହିତ ଭାଗିଦାରୀକୁ ଆଗକୁ ବଢ଼ାଇବା ପ୍ରଡକ୍ସନ୍ ହାଉସ୍ ପାଇଁ ସମ୍ଭବ ନୁହେଁ ବୋଲି ଏହା ଉଲ୍ଲେଖ କରିଛି ।
ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମଟି ସୁଟିଂ ଫ୍ଲୋର୍କୁ ଓହ୍ଲାଇବ ବୋଲି ନିର୍ଦ୍ଦେଶକ ନାଗ୍ ଅଶ୍ୱିନୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ପୌରାଣିକ ସାଇନ୍ସ-ଫିକ୍ସନ୍ ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପଟାନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୁ ମହାକାବ୍ୟ ମହାଭାରତ ଦ୍ୱାରା ପ୍ରେରିତ ଏହି ଫିଲ୍ମ ୨୮୯୮ ଏଡିର ଏକ ଭୟାବହ ଦୁନିଆ ଉପରେ ପର୍ଯ୍ୟବସିତ ।

