17 Mar 2026, Tue

ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ : ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

    ଆଦ୍ୟାଶା ନିଉଜ ଡେସ୍କ  :  ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ପୂର୍ବାହ୍ନ ୧୧ ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମନ୍ତ୍ରୀ ପରିଷଦ ବୈଠକର ଉପସ୍ଥିତ ରହିବେ ସମସ୍ତ ମନ୍ତ୍ରୀ । ମନ୍ତ୍ରୀ ପରିଷଦ ବୈଠକରେ ୭ଟି ବିଭାଗର ପ୍ରାୟ ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

ରାଜ୍ୟ କ୍ୟାବିନେଟରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଏହା ସହ ବିଧାନସଭା ଶୀତକାଳୀନ ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ । ନୂଆପଡ଼ା ଉପନିର୍ବାଚନ ପାଇଁ ଲାଗୁଥିବା ଆଚରଣବିଧି ହଟିବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ । ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ ।

ସେପଟେ ପୁରୀରେ ମଧ୍ୟ ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ପରିଚାଳନା କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିବେ ।

ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଥିବା ବେଳେ ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ତା ଉପରେ ବିସ୍ତୃତ ଆଲୋଚନା ହେବ । ଏଥିସହ ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହେବ । ନାଟମଣ୍ଡପରେ ଦର୍ଶନ ପାଇଁ କାଠ ରାମ୍ପକୁ ଦେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ।

ଶ୍ରୀମନ୍ଦିର ଧାଡି ଦର୍ଶନ ପାଇଁ ଭୁବନେଶ୍ୱରରେ ତିଆରି ହୋଇଥିବା କାଠ ରାମ୍ପକୁ ବୁଲି ଦେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ । କାଠ ରାମ୍ପ କିପରି ପ୍ରସ୍ତୁତ ହୋଇଛି ଓ ଭକ୍ତମାନେ କିପରି ଶୃଙ୍ଖଳିତ ସହ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେନେଇ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ଯାଞ୍ଚ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ହେବ ଆଲୋଚନା । ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ୍‌ କମିଟିର ବିବରଣୀ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହେବ । ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ, ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ହୋମଯଜ୍ଞ ପ୍ରକଳ୍ପ, ନାମଯଜ୍ଞ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଉପରେ ଆଜି ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଆଲୋଚନ ହେବ ।

Leave a Reply

Your email address will not be published. Required fields are marked *