7 Mar 2026, Sat

ମୋର ସଫଳତାର ଶ୍ରେୟ ଏହି ଗୃହ। ଏଠାକୁ ଆସି ମୋତେ ହୋମ୍ କମିଂ ଭଳି ଲାଗୁଛି

ଭୁବନେଶ୍ଵର  : ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। କହିଲେ ‘ମୋର ସଫଳତାର ଶ୍ରେୟ ଏହି ଗୃହ। ଏଠାକୁ ଆସି ମୋତେ ହୋମ୍ କମିଂ ଭଳି ଲାଗୁଛି। ମୋର ରାଜନୈତିକ କ୍ୟାରିଅରର ଏହିଠାରୁ ମୂଳଦୁଆ ପଡ଼ିଛି।’ 

ରାଷ୍ଟ୍ରପତି କହିଛନ୍ତି ଯେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଆନନ୍ଦିତ। ମୋତେ ହୋମ୍ କମିଂ ଭଳି ଲାଗୁଛି। ମା’ଟି ମୋର କେଡେ ନିଜର ତା ସରି କେହି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଏ ମୁଁ ବୋଳି। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧନ କରିଛି। ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ଖୁସିର ବିଷୟ। ମୁଁ ଗାଁରୁ ଏକ ସାଧାରଣ ଝିଅ ହୋଇ ଆସିଥିଲି। ଏ ଗୃହ ମୋତେ କଥା କହିବା ଶିଖାଇଛି। ମୋର ରାଜନୈତିକ କ୍ୟାରିଅର ଏହି ଗୃହରୁ ଆରମ୍ଭ ହୋଇଛି। ଆଜି ମୁଁ ଯେଉଁଠି ପହଞ୍ଚି ସେଥିପାଇଁ ସବୁ ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶର୍ବାଦ ନଥିଲେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରି ନଥାନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, ଏ ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ କରିଛି। ମନ୍ତ୍ରୀ ଭାବରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋର ଚିନ୍ତାବ୍ୟକ୍ତ କରିଛି। ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ ମିଶି କାମ କରିଛି। ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢେଇରୁ ଶିକ୍ଷା ମିଳିଛି। ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ଵ ବଢିଛି। ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି। ​​​​​​​ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ। ଭାରତର ପ୍ରଗତି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍‌ଣରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରୁ ସେ ସ୍ବତନ୍ତ୍ର କାର୍‌କେଡ୍‌ ମାଧ୍ୟମରେ ରାଜଭବନକୁ ଯାଇଥିଲେ। ରାଜଭବନରେ ସାମୟିକ ବିଶ୍ରାମ ପରେ ଓଡ଼ିଶା ବିଧାନସଭାରେ ପହଞ୍ଚି ଥିଲେ। ବିଧାନସଭାରେ ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ଓ ସାଂସଦମାନେ ସ୍ବାଗତ ଜଣାଇଥିଲେ। ତାଙ୍କ ଅଭିଭାଷଣ ପୂର୍ବରୁ ବିଧାୟକମାନଙ୍କ ସହିତ ଏକ ଫଟୋ ସେସନ୍‌ ହୋଇଥିଲା। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।

Leave a Reply

Your email address will not be published. Required fields are marked *