ଭୀମ ଆର୍ମୀର ଓଡ଼ିଶା ପ୍ରଭାରୀ ରାଜକୁମାର ଜାଙ୍ଗଡ଼େଙ୍କୁ ଭବ୍ୟ ସ୍ୱାଗତ
ସମ୍ବଲପୁର: ବହୁଜନ ସମାଜର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ସାରା ଜୀବନ ସଂଘର୍ଷ କରିଥିବା ମାନ୍ୟବର କାଂଶୀରାମ ସାହେବଙ୍କ ୨୦ତମ ମହାପରିନିର୍ବାଣ ଦିବସ ସମ୍ବଲପୁରର ସୟଦ ଗାର୍ଡେନଠାରେ ଭୀମ ଆର୍ମୀ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଭୀମ ଆର୍ମୀ ଭାରତ ଏକତା ମିଶନର ଓଡ଼ିଶା ପ୍ରଭାରୀ ରାଜକୁମାର ଜାଙ୍ଗଡ଼େ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାର ସଭାପତିମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କାଂଶୀରାମ ସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭୀମ ଆର୍ମୀର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଧୀମାନ ଲଙ୍କେଶ ରାବଣ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ମହାସଚିବ ଜଗଜୀବନ କୁମାର ମଞ୍ଚାସୀନ ଥିଲେ।
ମୁଖ୍ୟ ଅତିଥି ରାଜକୁମାର ଜାଙ୍ଗଡ଼େ ନିଜ ବକ୍ତବ୍ୟରେ କାଂଶୀରାମ ସାହେବଙ୍କ ତ୍ୟାଗ, ସଂଘର୍ଷ ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସାମାଜିକ ଚେତନା ଓ ରାଜନୈତିକ ଅଧିକାର ବିନା ବହୁଜନ ସମାଜର ପ୍ରକୃତ ବିକାଶ ସମ୍ଭବ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ। ଭୀମ ଆର୍ମୀର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦଙ୍କ ସଂଘର୍ଷ ଓ ଆଦର୍ଶରୁ ପ୍ରେରଣା ନେଇ ସମାଜର ଉନ୍ନତି ପାଇଁ ସମସ୍ତେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ପ୍ରଦେଶ ଅଧ୍ୟକ୍ଷ ଧୀମାନ ଲଙ୍କେଶ ରାବଣ ସଂଗଠନର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ କଠିନ ପରିଶ୍ରମ କରି ଚନ୍ଦ୍ରଶେଖର ଆଜାଦଙ୍କ ହାତକୁ ମଜବୁତ କରିବା ସହ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସଭାପତି ଓ କର୍ମକର୍ତ୍ତାଙ୍କ ସହ ସଂଗଠନର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଭୀମ ଆର୍ମୀକୁ ଆହୁରି ସକ୍ରିୟ ଓ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ଯାଜପୁର, ଅନୁଗୁଳ, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ବରଗଡ଼ ସମେତ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇଥିଲେ।
ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବାରୁ ଓଡ଼ିଶା ପ୍ରଭାରୀ ରାଜକୁମାର ଜାଙ୍ଗଡ଼େ ସମ୍ବଲପୁର ଜିଲ୍ଲା କମିଟିର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟ ମହାସଚିବ ଜଗଜୀବନ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାଂଶୀରାମ ସାହେବଙ୍କ ଆଦର୍ଶ, ସାମାଜିକ ନ୍ୟାୟ ଓ ବହୁଜନ ସମାଜର ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ସହ ରାଜ୍ୟରେ ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

