17 Apr 2026, Fri

୨କୋଟି ଟଙ୍କାର ଗଞ୍ଜେଇ ଜବତ କଲା ଉଦୟଗିରି ପୁଲିସ

ମୋହନା : ଘଞ୍ଚ ଜଙ୍ଗଲ ମଧ୍ୟରେ ଅଭିନବ ଉପାୟରେ ମାଫିଆ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛି ରା. ଉଦୟଗିରି ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ  ରା. ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁ (ଆଇପିସ)ଙ୍କ ନେତୃତ୍ୱରେ ରା. ଉଦୟଗିରି ଥାନା ଅଧିକାରୀ, ଫୋର୍ସ ଓ କର୍ମଚ଼ାରୀ ମାନଙ୍କ ଦ୍ୱାରା ମିଳିତ ଭାବେ ଚଢ଼ାଉ କରାଯାଇ କିରାମା ପଞ୍ଚାୟତ ଅଧିନ ବିମନପୁର ଗ୍ରାମ ନିକଟ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏକ ପରିତ୍ୟକ୍ତ ଘର ଭିତରେ ଓ ବାହାରେ ପ୍ରାୟ ୪ଫୁଟରୁ ୫ଫୁଟ ପର୍ଯ୍ୟନ୍ତ ଗାତ ଖୋଳି ତା ଭିତରେ ପ୍ଳାଷ୍ଟିକ ଡ୍ରମ ଓ ଟିଣ ବକ୍ସ ମଧ୍ୟରେ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ୬୭ଟି ପ୍ଲାଷ୍ଟିକ ଜରି ବସ୍ତାରେ ଭର୍ତ୍ତି କରି ଓଜନ କରାଯାଇଥିଲା । ଯାହାକି ୨୦୧୦ କିଲୋ ହୋଇଥିବା ବେଳେ ଆନୁମାନିକ ବଜାର ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ କେହି ମଧ୍ୟ ଗିରଫ ହୋଇନାହାନ୍ତି । ପୁଲିସ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ଭିତରେ ଯୁବ ଏସଡିପିଓଙ୍କ ନେତୃତ୍ଵରେ ଜିଲ୍ଲା ପୁଲିସ ପକ୍ଷରୁ ଶହ ଶହ ଟନର ଗଞ୍ଜେଇ ଜବତ ହୋଇ ସାରିଲାଣି। ତଥାପି ଗଞ୍ଜେଇ ମାଫିଆ ମାନେ ନୁଆଁ ନୁଆଁ ତରିକା ଆପଣାଇବାରେ ଲାଗିଛନ୍ତି। ଏବେ ନୂଆଁ ତରିକାରେ ଘର, ବାରି ବଗିଚ଼ାରେ ଗଞ୍ଜେଇ ନରଖି ମାଫିଆ ମାନେ ପୁଲିସକୁ ଭୁଆଁ ବୁଲାଇବା ପାଇଁ ସଂରକ୍ଷିତ ଜଙ୍ଗଲର ପାହାଡ଼ କୋରଡ଼, ଗୁମ୍ଫା, ଘର ଭିତରେ ଓ ବାହାରେ ବିରାଟ ଗାତ ଖୋଳି ତା ଭିତରେ  ପ୍ଲାଷ୍ଟିକ ଡ୍ରମ ଓ ବଡ଼ ଟିଣ ବକ୍ସ ମଧ୍ୟରେ ଗଞ୍ଜେଇ ରଖି ପାଲ ଉପରେ ମାଟି ଘୋଡ଼ାଇ ସୁରକ୍ଷିତ ଭାବେ ଗଞ୍ଜେଇ ରଖି ଚାଲାଣ କରିବା ପାଇଁ ନୂଆଁ ତରିକାମାନ ଆପଣାଉଁଥିବା ଦେଖିବାକୁ ମିଳୁଛି ।
 ଏହି ଗଞ୍ଜେଇ ଚୋରା ଚାଲାଣରେ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *