25 Jun 2026, Thu

ଅନୁଗୁଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବଡ଼କେରା : ଅନୁଗୁଳରେ ପୁଣି ହାତୀ ମାରିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ଚନ୍ଦନପୁର ଗାଁରେ ସକାଳୁ ଅଭାବନୀୟ ଘଟଣା ଘଟିଛି। ଗାଁର ଭୋଳେଶ୍ଵର ପ୍ରଧାନ (୮୦ ) ସକାଳୁ ଘର ନିକଟରେ ଥିବାଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ ରେ ପଡ଼ି ଯାଇଥିଲା।

ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ପାଟି ଶୁଣି ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଗ୍ରାମବାସୀ ଓ ପରିବାର ଲୋକେ ପୁରୁଣାଗଡ଼ କର୍ତ୍ତପଟା ରାସ୍ତାରେ ସବ ରଖି ରାସ୍ତା ଅବରୋଧ କରି ବସିଛନ୍ତି। ଅନୁଗୁଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି। ଘଟଣା ସ୍ଥଳରେ ବନବିଭାଗ ବନ୍ତଳା ପୁଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରୁଛନ୍ତି l

ଏଣେ  କିଛି ଦିନ ତଳେ ବନ୍ତଳା ରେଞ୍ଜ ଅନ୍ତର୍ଗତ ଗଡ଼ତଳମୂଳ ଗ୍ରାମରେ ବନ୍ୟ ହାତୀର ବିଭୀଷିକା ଦେଖିବାକୁ ମିଳିଥିଲା। ଘରେ ଶୋଇଥିବା ସମୟରେ ହାତୀ ଘର କାନ୍ଥ ଭାଙ୍ଗି ଦେବାରୁ ସେହି କାନ୍ଥ ତଳେ ଚାପି ହୋଇ ଆର୍ତ୍ତ ଭୋଇ (୪୬) ନାମକ ଜଣେ ଵ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିଲା। ​ସୂଚନା ଅନୁଯାୟୀ,  ବିଳମ୍ବିତ ରାତିରେ ଏକ ବନ୍ୟ ହାତୀ ଗଡ଼ତଳମୂଳ ଗ୍ରାମରେ ପଶି ଆର୍ତ୍ତ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲା। ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଶୋଇଥିବା ଆର୍ତ୍ତଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଥିଲା। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *