ଛେଣ୍ଡିପଦା : ମୋବାଇଲରେ ଅନଲାଇନ ଖେଳ ନେଲା ଜୀବନ। ଅନଲାଇନ ଖେଳରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗାଁର ମାନସ ବେହେରା। ସୂଚନା ଅନୁଯାୟୀ; ଜମି ଅଧିଗ୍ରହଣ ଟଙ୍କା ଉଠାଇବା ପରେ ପରିବାର ଲୋକ ମାନସଙ୍କ ବ୍ୟାଙ୍କ ଜମାଖାତାରେ ୨.୫ ଲକ୍ଷ ଟଙ୍କା ରଖିଥିଲେ। ପ୍ରାୟ ଏକ ମାସ ତଳେ ସେ ମୋବାଇଲରେ ଅନଲାଇନ ଖେଳରେ ଅଢ଼େଇ ଲକ୍ଷ ଟଙ୍କା ହାରି ଯାଇଥିଲେ। ଯାହାକୁ ନେଇ ମାନସଙ୍କ ସହିତ ଘର ଲୋକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାସତ୍ତ୍ବେ ପରିବାରଲୋକେ ମାନସଙ୍କୁ ମୋଟର ସାଇକଲ କିଣିବାକୁ ୩୦ ହଜାର ଟଙ୍କା ଦେଇଥିଲେ। ଉକ୍ତ ଟଙ୍କାରେ ସେ ମୋଟର ସାଇକଲ ନ କିଣି ପୁଣି ଅନଲାଇନରେ ଗେମ୍ ଖେଳି ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଘଟଣା ଜାଣିବା ପରେ ପରିବାରଲୋକ ମାନସଙ୍କୁ ତାଗିଦା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମାନସ ସୋମବାର ସକାଳେ ଘରୁ ପଳାଇ ଯାଇଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ମାନସଙ୍କ ସନ୍ଧାନ ପାଇଁ ନ ଥିଲେ। ମଙ୍ଗଳବାର ସକାଳେ ଘର ନିକଟସ୍ଥ କାଜୁ ବଗିଚାରେ ମାନସଙ୍କ ଝୁଲନ୍ତା ମୃତ ଦେହ ସ୍ଥାନୀୟ ଲୋକେ ଦେଖିଥିଲେ। ଛେଣ୍ଡିପଦା ପୁଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

