13 Mar 2026, Fri

ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ

ଭୁବନେଶ୍ୱର,: ଦକ୍ଷିଣ ପୂର୍ବ  ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ  ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ   ଅବପାତ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ  ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର  ହେବ । ଆସନ୍ତା ଦୁଇ ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି,  ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,  ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ଏହି ୫ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼,  ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର  ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ ।  କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

ସମ୍ଭାବ୍ୟ  ବଡ଼ ବର୍ଷା ଆଗକୁ ବନ୍ୟା ସ୍ଥିତି ଆଣିପାରେ ବୋଲି  ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେଣୁ ସମ୍ଭାବ୍ୟ  ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ବି ପ୍ରସ୍ତୁତି  ଆରମ୍ଭ କରି ଦେଇଛନ୍ତି । ରାଜୀବ ଭବନ ସ୍ଥିତ  ରାଜ୍ୟ ଜରୁରୀକାଳୀନ ସମ୍ମିଳନୀ କକ୍ଷରେ ଭଦ୍ରକ,  ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼  ଜିଲ୍ଲାପାଳମାନଙ୍କ ସହିତ ଆଭାସି ବୈଠକ କରିଛନ୍ତି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ । ସ୍ଥିତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି  ରଖିବା ସହିତ ୨୪ ଘଣ୍ଟା ସତର୍କ ରହିବାକୁ ଜିଲ୍ଲା  ପ୍ରଶାସନକୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  ଆସନ୍ତା ୧୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର,  ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼,  ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୭ ତାରିଖରେ  ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ  ଅଧିକ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଅଧିକ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ  କରିଛି ।

ସୋମବାର ସକାଳରୁ ସନ୍ଧ୍ୟା ଭିତରେ  ରାଉରକେଲାରେ ୨୦.୯ମିମି, ଭବାନୀପାଟଣାରେ  ୨୦.୮, ତାଳଚେରରେ ୧୬.୪, ସୁନ୍ଦରଗଡ଼ରେ ୧୩.୮, ମାଲକାନଗିରିରେ ୧୨.୬, ଢେଙ୍କାନାଳରେ  ୧୨.୪, ଅନୁଗୁଳରେ ୧୧, ବାରିପଦାରେ ୧୦.୨  ଓ ଚାନ୍ଦବାଲିରେ ୫.୪ମିମି ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *