18 Jan 2026, Sun

ଘୁଞ୍ଚିଲା କାର୍ତ୍ତିକ-ଶ୍ରୀଲୀଲାଙ୍କ ଫିଲ୍ମ, ନିର୍ଦ୍ଦେଶକ କହିଲେ- ‘ସୈୟାରା’ ପାଇଁ ନୁହେଁ ଅଧୁରା ରହିଛି ସୁଟିଂ

ମୁମ୍ବାଇ :  ‘ସୈୟାରା’ର ବଡ଼ ସଫଳତା ପରେ ଏବେ କାର୍ତ୍ତିକ ଆର୍ୟ୍ୟନଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ରିଲିଜ୍‌ରେ ବିଳମ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାର୍ତ୍ତିକ ଓ ସାଉଥ୍‌ ଅଭିନେତ୍ରୀ ଶୀଲୀଲାଙ୍କ ରୋମାଣ୍ଟିକ୍‌ ଫିଲ୍ମର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦିଆଯାଇଯିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଏହାର ପ୍ରକୃତ କାରଣ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ବସୁ । ଫିଲ୍ମ ରିଲିଜ୍‌କୁ ବାତିଲ କରିବା ପଛରେ କାରଣ ‘ସୈୟାରା’ ନୁହେଁ, ବରଂ ଫିଲ୍ମର ଅଧୁରା ରହିଥିବା ସୁଟିଂ ବୋଲି ସେ ଏକ ଗଣମାଧ୍ୟମକୁ କହିଛନ୍ତି । ଖୁବ୍‌ଶୀଘ୍ର ସେ ସୁଟିଂ ଶେଷ କରିବାକୁ ଯୋଜନା କରୁଛନ୍ତି ।

ଅନୁରାଗ କହିଛନ୍ତି, ‘ସୈୟାରା’ର କାହାଣୀ ବିଷୟରେ ମୁଁ ବହୁତ ପୂର୍ବରୁ ଜାଣିଥିଲି । ଉଭୟ ‘ସୈୟାରା’ ଓ ମୋ ଅପ୍‌କମିଙ୍ଗ୍‌ ଫିଲ୍ମର ନାୟକଙ୍କର ପରଦାରେ ପ୍ରଦର୍ଶକ ଭୂମିକା ରହିଛି । ଉଭୟକୁ ଦର୍ଶକ ତୁଳନା କରିବେ ବୋଲି ମୁଁ ଜାଣିଥିଲି । କିନ୍ତୁ ଦୁଇଟିଯାକ ଫିଲ୍ମ ପରସ୍ପରଠୁ ସମ୍ପୂର୍ଣ୍ଣ ଭିନ୍ନ । କାର୍ତ୍ତିକ କରନ ଜୋହରଙ୍କ ଫିଲ୍ମ ‘ତୁ ମେରୀ ମେଁ ତେରା’ର ସୁଟିଂରେ ବ୍ୟସ୍ତ ଥିଲେ । ମୁଁ ‘ମେଟ୍ରୋ ଇନ୍‌ ଦିନୋ’ର ରିଲିଜ୍‌ରେ ବ୍ୟସ୍ତ ଥିଲି । ଆମେ ଖୁବ୍‌ଶୀଘ୍ର ଫିଲ୍ମର ପରବର୍ତ୍ତୀ ଶିଡ୍ୟୁଲ୍‌ର ସୁଟିଂ ଶେଷ କରିବୁ ।

କାର୍ତ୍ତିକ-ଶ୍ରୀଲୀଲାଙ୍କ ରୋମାଣ୍ଟିକ୍‌ ଫିଲ୍ମର ରିଲିଜ୍‌ ଦୀପାବଳିରେ ହେବାର ଖବର ଥିଲା । କିନ୍ତୁ ଏବେ ଚର୍ଚ୍ଚା ହେଉଛି, ସୁଟିଂରେ ବିଳମ୍ବ ଯୋଗୁ ଫିଲ୍ମ ଆସନ୍ତା ବର୍ଷ ଆରମ୍ଭରେ ରିଲିଜ୍‌ ହୋଇପାରେ । ଏହି ଫିଲ୍ମ ‘ଆଶିକି’ ଫିଲ୍ମ ସିରିଜ୍‌ ଥିମ୍‌ ଆଧାରରେ ପ୍ରସ୍ତୁତ ହୋଇଥିଲା । ଏହାର ଟାଇଟଲ୍‌ ମଧ୍ୟ ପୂର୍ବରୁ ‘ଆଶିକି-୩’ ରଖାଯାଇଥିଲା । କିନ୍ତୁ ବିଶେଷ ଫିଲ୍ମସ ଏହାକୁ ପ୍ରତ୍ୟାଖ୍ୟାନ କଲା । ଏବେ ଟି-ସିରିଜ୍‌ ଓ ବିଶେଷ ଫିଲ୍ମସ ମଧ୍ୟରେ ଫିଲ୍ମର ଟାଇଟଲ୍‌କୁ ନେଇ ନ୍ୟାୟିକ ଲଢ଼େଇ ଚାଲିଛି । ଦର୍ଶକ ଖୁବ୍‌ଶୀଘ୍ର ଫିଲ୍ମର ଟାଇଟଲ୍‌ ଜାଣିବାକୁ ପାଇବେ ।

Leave a Reply

Your email address will not be published. Required fields are marked *