8 Dec 2025, Mon

୫ ବର୍ଷର ସମସ୍ତ ଇ-ଚାଲାଣ ଛାଡ଼ କରିବେ ଉତ୍ତର ପ୍ରଦେଶ ରାଜ୍ୟ ସରକାର

Aadyasha News Desk : ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର। ୫ ବର୍ଷର ସମସ୍ତ ଇ-ଚାଲାଣକୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ତେବେ ଏହି ସମୟରସୀମା ହେଉଛି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ। ଏହି ୫ ବର୍ଷ ମଧ୍ୟରେ ଯେଉଁ ଗାଡ଼ିର ଇ-ଚାଲାଣ କଟିଥିବ ଏବଂ ମାଲିକମାନେ ତାହା ପଇଠ କରି ନ ଥିବେ, ସେସବୁକୁ ରାଜ୍ୟ ସରକାର ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଫିଟନେସ, ପରମିଟ, ମାଲିକାନା ପରିବର୍ତ୍ତନ ଏବଂ ହାଇସିକ୍ୟୁରିଟି ନମ୍ବର ପ୍ଲେଟ(ଏସଏସଆରପି) ଭଳି ସେବା ଉପରେ ଲାଗିଥିବା ଅବରେଧ ହଟିଯିବ। ଯାହାଫଳରେ ପୁରୁଣା ଇ-ଚାଲାଣି ଯୋଗୁ ଗାଡ଼ି ମାଲିକମାନଙ୍କୁ ଏସବୁ ସେବା ଉପଲବ୍ଧ କରିବାରେ ସମସ୍ୟା ହେବ ନାହିଁ।

ରାଜ୍ୟ ପରିବହନ ବିଭାଗ ସୂଚନା ଅନୁସାରେ, ୨୦୧୭ରୁ ୨୦୨୧ ମଧ୍ୟରେ ମୋଟ ୩୦ ଲକ୍ଷ ୫୨ ହଜାର ୯୦ ଇ-ଚାଲାଣ କଟାଯାଇଛି। ସେଥିରୁ ପ୍ରାୟ ୧୭ ଲକ୍ଷ ୫୯ ହଜାର ଚାଲାଣ ଦେୟ ପଇଠ ହୋଇଥିବାବେଳେ ୧୨ ଲକ୍ଷ ୯୩ ହଜାର ପଡ଼ିରହିଛି। କୋର୍ଟରେ ପ୍ରାୟ ୧୦ ଲକ୍ଷ ୮୪ ହଜାର ଚାଲାଣ ସମ୍ପର୍କିତ ମାମଲା ପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଗାମୀ ଏକ ମାସ ମଧ୍ୟରେ ଚାଲାଣ ସ୍ଥିତି ସମ୍ପର୍କରେ ପୋର୍ଟାଲରେ ଅପଡେଟ୍ କରିଦିଆଯିବ ବୋଲି କୁହାଯାଇଛି। ତେବେ ଆଇପିସି ସହ ଜଡ଼ିତ ମାମଲା, ମଦ୍ୟପାନ କରି ଗାଡ଼ି ଚାଳନା ସମ୍ପର୍କିତ ଚାଲାଣ ଆଦିରେ ଏହାକୁ ଲାଗୁ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *