ଆଦ୍ୟାଶା ନିଉଜ ଡେସ୍କ :ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ରେ ଭୟଙ୍କର ଅଗ୍ନିକାଣ୍ଡ। ପଞ୍ଜାବର ସରହିନ୍ଦ ରେଳ ଷ୍ଟେସନ ନିକଟରେ ଲାଗିଲା ନିଆଁ । ସରହିନ୍ଦ ଷ୍ଟେସନରୁ ଟ୍ରେନଟି ପ୍ରାୟ ଅଧ କିଲୋମିଟର ଯାତ୍ରା କରିବା ପରେ ଯାତ୍ରୀମାନେ ଗୋଟିଏ କୋଚରୁ ଧୂଆଁ ବାହାରୁଥିବାର ଦେଖିଥିଲେ।ଟ୍ରେନକୁ ତୁରନ୍ତ ଅଟକାଇ ରେଳ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସକାଳ ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ,କୋଚ୍ ନମ୍ବର ୧୯ରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଟ୍ରେନରେ ଲୁଧିଆନାର ଅନେକ ବ୍ୟବସାୟୀ ଯାତ୍ରା କରୁଥିଲେ। ନିଆଁ ଲାଗିବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଲୋକୋ ପାଇଲଟ୍ ସତର୍କତା ଦେଖାଇ ଜରୁରୀକାଳୀନ ବ୍ରେକ୍ ଲଗାଇ ତୁରନ୍ତ ଟ୍ରେନକୁ ଅଟକାଇଥିଲେ।ଯାହା ପରେ କୋଚରେ ଥିବା ଯାତ୍ରୀମାନେ ତୁରନ୍ତ ସେମାନଙ୍କର ସାମଗ୍ରୀ ସହିତ ତଳକୁ ଓହ୍ଲାଇ ପଡ଼ିଥିଲେ। ବିଶୃଙ୍ଖଳା ମଧ୍ୟରେ ଟ୍ରେନରୁ ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ।ପୁଲିସ ଏବଂ ରେଳବାଇ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛନ୍ତି । ସେ କହିଛନ୍ତି ଯେ,ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ରେଳ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ପ୍ରଭାବିତ କୋଚ୍କୁ ଖାଲି କରିଥିଲେ ଏବଂ ଅଗ୍ନିଶମ ଦଳ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି ।

