8 Dec 2025, Mon

ପରଲୋକରେ ଲୋକପ୍ରିୟ ଅଭିନେତା ସତୀଶ ଶାହ

ଆଦ୍ୟାଶା ନିଉଜ ଡେସ୍କ : କଥା କଥାରେ ଦର୍ଶକଙ୍କୁ ହସାଉଥିଲେ। ନିଜର ଅଙ୍ଗଭଙ୍ଗୀ ଏବଂ ଅଭିନୟର ଅନ୍ଦାଜ ତାଙ୍କୁ କରାଇଥିଲା ଲୋକପ୍ରିୟ। ଟେଲିଭିଜନ ଏବଂ ବଲିଉଡ ଜଗତରେ ଦୀର୍ଘ ୪୦ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରାଉଥିବା ସତୀଶ ଶାହ ଥିଲେ ଜଣେ ଅନନ୍ୟ ହାସ୍ୟାଭିନେତା।  ୭୪ ବର୍ଷ ବୟସରେ ତାଙ୍କ ପରଲୋକ ଘଟିବା ପରେ ଶୋକରେ ବୁଡ଼ି ଯାଇଛି ଅଭିନୟ ଜଗତ। ଏହା ବଲିଉଡ ଏବଂ ଟେଲିଭିଜନ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ସାଥୀ କଳାକାର।

ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ମୁମ୍ବଇର ହିନ୍ଦୁଜା ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ନିକଟରେ କଲକାତାରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା। ହସ୍ପିଟାଲରେ ଦେଢ଼ମାସ ରହି ସେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। ଶନିବାର ମଧ୍ୟାହ୍ନଭୋଜନ ସମୟରେ ସେ ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଟେଲିଭିଜନ କମେଡି ଶୋ’ ‘ସାରାଭାଇ ଭର୍ସେସ ସାରାଭାଇ’ ଏବଂ ‘ଜାନେ ଭି​‌ଦୋ ୟାରୋ’ରୁ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ଘରେ ଘରେ ସେ ଲୋକପ୍ରିୟ ହୋଇଥିଲେ।

ଗୁଜରାଟର ମାଣ୍ଡଭୀରେ ସତୀଶ ଜନ୍ମଲାଭ କରିଥିଲେ। ଜାଭିଅର କଲେଜରେ ଅଧ୍ୟୟନ ପରେ ସେ ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏଫଟିଆଇଆଇ)ରେ ପଢ଼ି ଅଭିନୟ ଜଗତରେ ପାଦ​‌ ଦେଇଥିଲେ। ୧୯୭୦ରେ ବଲିଉଡ ଚଳଚ୍ଚିତ୍ର ‘ଭଗବାନ ପର୍ଶୁରାମ’ରୁ ସତୀଶ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ୨୦୧୪ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ହସାଇ ମନୋରଞ୍ଜନ କରାଇଥିଲେ।

୧୯୭୨ରେ ସେ ଡିଜାଇନର ମଧୁ ଶାହଙ୍କୁ ବିବାହ କରିଥିଲେ। ୧୯୮୪ରେ ସିଟକମ୍‌ ଟିଭି ଶୋ’ ‘ୟେ ଜୋ ହୈ ଜିନ୍ଦଗୀ’ ଜରିଆରେ ଟେଲିଭିଜନ ଜଗତରେ ପାଦ ରଖିଥିଲେ। ଏହି ଶୋ’ର ୫୫ ଏପିସୋଡରେ ସେ ୫୫ଟି ଭିନ୍ନ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ‘ଫିଲ୍ମୀ ଚକ୍କର’, ‘ଘର ଜମାଇ’, ‘ଟପ୍‌ ୧୦’, ‘କମେଡି ସର୍କସ’ ଭଳି ଶୋ’ କରିଥିଲେ।

ସତୀଶଙ୍କ ବିୟୋଗରେ ବଲିଉଡ କଳାକାର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ବିଶିଷ୍ଟ ହାସ୍ୟାଭିନେତା ଜନି ଲିଭର ସତୀଶଙ୍କ ବିୟୋଗରେ ଦୁଃଖପ୍ରକାଶ କରି କହିଛନ୍ତି ଯେ, ସତୀଶ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବନ୍ଧୁତା ୪୦ ବର୍ଷ ପୁରୁଣା ଥିଲା। ଆମ ସମ୍ପର୍କ ସବୁବେଳେ ପରିବାର ଭଳି ରହିଥିଲା। ସବୁଦିନ ଆମେ କଥା ହେଉଥିଲୁ। ଘରକୁ ମଧ୍ୟ ଯିବାଆସିବା ରହିଥିଲା। ଆମେ ଏକାଠି ବହୁତ କାମ କରିଛୁ। ପରସ୍ପରକୁ ଦରକାର ସମୟରେ ସହଯୋଗ କରିଛୁ। ଆଜି ଅଚାନକ ତାଙ୍କ ନିଧନ ହୋଇଗଲା। ତାଙ୍କ ସହିତ ଗତକାଲି କଥା ହୋଇଥିଲି। ସେ ଆଉ ନାହାନ୍ତି ବୋଲି କଳ୍ପନା କରିହେଉ ନାହିଁ।

ଚଳଚ୍ଚିତ୍ର ନିର୍ମାତା ବିବେକ ଶର୍ମା ସତୀଶଙ୍କ ମୃତ୍ୟୁରେ ମର୍ମାହତ ହୋଇ କହିଛନ୍ତି, ସେ ଆଜି ସକାଳେ ତାଙ୍କ ସହିତ କଥା ହୋଇଥିଲେ। ସତୀଶ ତାଙ୍କୁ ଏକ ସେଲଫି ପଠାଇଥିଲେ। ମଜାଳିଆ ଅନ୍ଦାଜରେ ସତୀଶ କହିଥିଲେ ସେ ୨୦/୨୨ କିଲୋଗ୍ରାମ ଓଜନ ହ୍ରାସ କରିଦେଇଛନ୍ତି। ଏବେ ସେ ଅଧିକ ହ୍ୟାଣ୍ଡସମ ଦେଖାଯାଉଛନ୍ତି। କିନ୍ତୁ ଅପରାହ୍ନରେ ହଠାତ ତାଙ୍କ ଦେହାନ୍ତ ଖବର ସ୍ତବ୍ଧ କରିଛି।

Leave a Reply

Your email address will not be published. Required fields are marked *