ନୂଆପଡ଼ା: ନୂଆପଡ଼ାରେ ରେକର୍ଡ ବିଜୟ ପରେ ଶୋଭାଯାତ୍ରା କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଖରିଆର ରୋଡ୍ରେ ନିଜ ପରିବାର ସଦସ୍ୟଙ୍କ ସହିତ ଜୟ ଶୋଭାଯାତ୍ରା କରି ଖୁସି ମନାଇଛନ୍ତି। ଏହି ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋ ବାପାଙ୍କ ବିଜୟ ହୋଇଛି ବୋଲି ଜୟ କହିଛନ୍ତି।
ସେହିପରି ନୂଆପଡ଼ାରେ ବିଜେପିର ବିଭିନ୍ନ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀ ଏବଂ ସମର୍ଥକମାନେ ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି। ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି।

