ବାରିପଦା : କାର୍ ଭିତରୁ ନିଖୋଜ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଆଇନଜୀବୀ ଜଣକ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗୁଲେଶ ସେପ୍ଟେମ୍ବର ମାସରୁ ଘରୁ କୁଆଡେ ପଳାଇଥିଲେ । ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳରେ ଥିବା ପୋଖରୀରେ କାର ପଡିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ ।

ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ କାର ଭିତରେ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଥିଲା । ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ । ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବକ ଜଣଙ୍କ ନିଖୋଜ ହୋଇଥିଲେ ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

