ନୂଆଦିଲ୍ଲୀ: ତାମିଲନାଡୁରେ ତାମିଲଗା ଭେଟ୍ଟ୍ରି କାଝାଗମ (TVK) ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ସରକାରକୁ ଆସିବାର ପ୍ରାୟ ସପ୍ତାହେ ପରେ ଗୁରୁବାର ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ସରକାରରେ କଂଗ୍ରେସର ଦୁଇ ବିଧାୟକଙ୍କ ସହ ୨୩ ନୂଆ ସଦସ୍ୟଙ୍କୁ ସାମିଲ କରିଛନ୍ତି।
ଶପଥ ଗ୍ରହଣ ସମାରୋହ ସକାଳ ୧୦ଟାରେ ଲୋକ ଭବନରେ ହୋଇଥିଲା। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ମନ୍ତ୍ରୀ ପଦ ପାଇଁ ଟିଭିକେ ବିଧାୟକ ଶ୍ରୀନାଥ, ଏସ. କମାଲୀ, ସି. ବିଜୟଲକ୍ଷ୍ମୀ ଏବଂ ଆର. ଭି. ରଞ୍ଜିତକୁମାର, କଂଗ୍ରେସର ଏସ. ରାଜେଶ କୁମାର ଏବଂ ପି. ବିଶ୍ବନାଥନଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ କରାଇଥିଲେ। ସୂଚନାଥାଉକି, କଂଗ୍ରେସ ରାଜ୍ୟରେ ଦ୍ରାବିଡ଼ ମୁନେତ୍ରା କାଝାଗମ ଠାରୁ ସମ୍ପର୍କ ଛିନ୍ନ କରି ଟିଭିକେ ସହ ମେଣ୍ଟ କରିଛି।
ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜୟ ମେ ୧୦ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ସେ ତାମିଲନାଡୁର ୯ମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ ୯ ବିଧାୟକଙ୍କ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ତାଙ୍କ କ୍ୟାବିନେଟରେ ପ୍ରାୟ ୩୬ ମନ୍ତ୍ରୀ ରହିପାରନ୍ତି। ଗୁରୁବାର ୨୩ ନୂଆ ମନ୍ତ୍ରୀ ସାମିଲ ହେବା ପରେ ବିଜୟ ସରକାରେ ମନ୍ତ୍ରୀଙ୍କ ସଂଖ୍ୟା ବଢ଼ି ୩୩ ହୋଇଛି। ଏବେବି ୩ ପଦ ଖାଲି ରହିଛି।

