24 Aug 2026, Mon

ରାଉରକେଲା ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ୩ ଅଭିଯୁକ୍ତଙ୍କୁ ୨ ଦିନିଆ ପୁଲିସ ରିମାଣ୍ଡ

ରାଉରକେଲା, ୨୦ ଅଗଷ୍ଟ ୨୦୨୬: ରାଉରକେଲା ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ପୁଲିସ ୨ ଦିନିଆ ରିମାଣ୍ଡରେ ନେଇଛି। ଘଟଣାର ଗଭୀର ତଦନ୍ତ କରିବା ସହ ଅସ୍ତ୍ର କାରବାରର ମୂଳ ସୂତ୍ର ଖୋଜିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

ଏହି ଘଟଣାରେ ରଘୁନାଥପାଲ୍ଲୀ ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବିକାଶ ଡୁଙ୍ଗୁରୀ, ନାରାୟଣ ସାହୁ, ସାଗର ସାହୁ, କର୍ତ୍ତାର ସିଂହ, ବିକି ଶର୍ମା, ରାଜେଶ ଶ୍ରୀବାସ୍ତବ ଓ ରାଜେଶ ସାହୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିକାଶ ଡୁଙ୍ଗୁରୀ, ସାଗର ସାହୁ ଓ ରାଜେଶ ସାହୁଙ୍କୁ ୨ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଛି।

ରିମାଣ୍ଡ ସମୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଅସ୍ତ୍ର କେଉଁଠାରୁ ଆସିଥିଲା, କିଏ ଯୋଗାଇଥିଲା ଏବଂ ସର୍କିଟ୍ ହାଉସ୍‌ରେ ଦୀର୍ଘ ସମୟ ଧରି ରହିବାର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ପଚରାଉଚରା କରୁଛି।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପ୍ରାୟ ୨୦ ଦିନ ଧରି ସର୍କିଟ୍ ହାଉସ୍‌ରେ ରହିଥିଲେ। ସେମାନଙ୍କ ପାଇଁ କିଏ ରୁମ୍ ବୁକ୍ କରିଥିଲା ଏବଂ ଏତେଦିନ ସରକାରୀ ଅତିଥି ଭବନରେ ରହିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା, ତାହା ନେଇ ପୁଲିସ ତଦନ୍ତ କରୁଛି।

ସର୍କିଟ୍ ହାଉସ୍‌ର ଦୁଇଟି ରୁମ୍ ଜଣେ ପ୍ରଭାବଶାଳୀ ଯୁବ ରାଜନୈତିକ ନେତାଙ୍କ ନାମରେ ବୁକ୍ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହାର ସତ୍ୟତା ଯାଞ୍ଚ ପାଇଁ ପୁଲିସ ବୁକିଂ ରେକର୍ଡ ଓ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

ଅଭିଯୁକ୍ତମାନେ ସର୍କିଟ୍ ହାଉସ୍ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଓ ମାରପିଟ୍ କରିଥିବା ଏବଂ ସୋସିଆଲ୍ ମିଡିଆରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧମକ ଦେଉଥିବା ଭିଡିଓ ଅପଲୋଡ୍ କରିଥିବା ଅଭିଯୋଗ ମଧ୍ୟ ତଦନ୍ତ ପରିସରରେ ରହିଛି।

ଅସ୍ତ୍ରଗୁଡ଼ିକର ଉତ୍ସ ଏବଂ ଏହି ଘଟଣା ପଛରେ କୌଣସି ବଡ଼ ଅପରାଧୀ ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ରିମାଣ୍ଡ ଶେଷ ପରେ ଘଟଣା ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *