20 Jan 2026, Tue

ଆଉ ଏକ ରୋମାଣ୍ଟିକ୍‌ ଫିଲ୍ମରେ ‘ସୈୟାରା’ ଫେମ୍‌ ଅନୀତ ପଡ୍ଡା

ମୁମ୍ବାଇ  : ଖୁବ୍‌ଶୀଘ୍ର ଆଉ ଏକ ପ୍ରେମ କାହାଣୀ ଜରିଆରେ ବଡ଼ ପରଦାକୁ ଆସିବେ ‘ସୈୟାରା’ ଫେମ୍‌ ଅନୀତ ପଡ୍ଡା । ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ଫେମ୍‌ ନିର୍ଦ୍ଦେଶକ ମନୀଷ ଶର୍ମା ଅନୀତଙ୍କ ସହିତ ଏକ ରୋମାଣ୍ଟିକ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ପ୍ରଯୋଜନା ଦାୟିତ୍ୱ ନେବ ୟଶରାଜ୍‌ ଫିଲ୍ମସ । ପ୍ରୋଜେକ୍ଟରେ ଅନୀତଙ୍କୁ ସାଇନ୍‌ କରିବା ସହିତ ଫିଲ୍ମର ପ୍ରାକ୍‌-ପ୍ରଯୋଜନା କାମ ଆରମ୍ଭ ହୋଇଯାଇଛି । ପଞ୍ଜାବ ପୃଷ୍ଠଭୂମି ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ।

ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସୁଟିଂ ଆରମ୍ଭ ହେବ । ତେବେ ଅନୀତଙ୍କ ଅପୋଜିଟ୍‌ରେ କିଏ ସ୍କ୍ରିନ୍‌ ଶେୟାର କରିବେ, ତାହା ଅଦ୍ୟାବଧି ଜଣାପଡ଼ି ନାହିଁ । ମୋହିତ ସୁରୀଙ୍କ ଫିଲ୍ମ ‘ସୈୟାରା’ଜରିଆରେ ଅହାନ ପାଣ୍ଡେଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅନୀତ । ଏହା ପୂର୍ବରୁ ଗୋଟିଏ ଦୁଇଟି ପ୍ରୋଜେକ୍ଟରେ ସେ ପାଶ୍ୱର୍ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଅନେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ । କିନ୍ତୁ ‘ସୈୟାରା’ତାଙ୍କୁ ରାତାରାତି ଲୋକପ୍ରିୟ କଲା । ୟଶରାଜ୍‌ ଫିଲ୍ମସ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମ ବ୍ୟବସାୟ ମାମଲାରେ ଅନେକ ରେକର୍ଡ କରିଛି । ପଞ୍ଜାବର ଅମୃତସରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଅନୀତ ସ୍ପ୍ରିଙ୍ଗ୍‌ ଡେଲ ସିନିୟର ସ୍କୁଲରୁ ପ୍ରାରମ୍ଭିକ ଅଧ୍ୟୟନ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜିଜସ୍‌ ଆଣ୍ଡ୍‌ ମ୍ୟାରୀ କଲେଜରୁ ସ୍ନାତକ କରିଛନ୍ତି । କିଶୋରାବସ୍ଥାରୁ ସେ ମଡେଲିଂ ଆରମ୍ଭ କରିଥିଲେ । ଡେରୀ ମିଲ୍କ, ମ୍ୟାଗି, ପେଟିଏମ୍‌, ନେସ୍‌କାଫେ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଛି । ୨୦୨୨ରେ କାଜୋଲଙ୍କ ଫିଲ୍ମ ‘ସଲାମ୍‌ ଭେଙ୍କୀ’ରୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ସେ ଜଣେ କଣ୍ଠଶିଳ୍ପୀ ମଧ୍ୟ । ୨୦୨୪ରେ ପ୍ରଥମ ଗୀତ ‘ମାସୁମ୍‌’ ରେକର୍ଡ କରିଥିଲେ ।

Leave a Reply

Your email address will not be published. Required fields are marked *