7 Mar 2026, Sat

ପବିତ୍ର ପୁରୁଷ : ପୁରନ୍ଦର ମିଶ୍ର

 

 କିଶୋର ଦ୍ବିବେଦୀ

ରାୟପୁର/ ଭୁବନେଶ୍ବର  ; ପୁରନ୍ଦର ମିଶ୍ର ଜଣେ ସାଧାରଣ ମଣିଷ ନୁହଁନ୍ତି। ସେ ଜଣେ ଅନୁଷ୍ଠାନ। ଅଧୁନା ରାୟପୁର ନଗର ଉତ୍ତର ଆସନରୁ ବିଧାୟକ ଥିବା ଶ୍ରୀ ମିଶ୍ର ରାୟପୁରର ଗାୟତ୍ରୀ ନଗରଠାରେ ଛତିଶଗଡ଼ର ସର୍ବ ବୃହତ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହିତ ଛତିଶଗଡ଼ରେ ବାସକରୁଥିବା ପ୍ରାୟ ପଇଁତିରିଶ ଲକ୍ଷ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟକୁ ନେଇ ଗଠିତ ବୃହତ ଓଡ଼ିଆ ସମାଜର ସଭାପତି ଅଛନ୍ତି । ବହୁମୂଖୀ ପ୍ରତିଭାର ଅଧିକାରୀ ଶ୍ରୀ ମିଶ୍ର ଏକାଧାରରେ ଜଣେ ରାଷ୍ଟ୍ରନେତାର ଦୃଷ୍ଟିଭଙ୍ଗୀ ରଖୁଥିବା ରାଜନୈତିଜ୍ଞ, ମାନବ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ ସମାଜସେବୀ, ସୁଦକ୍ଷ ସଙ୍ଗଠକ, ତୃଣମୂଳ ସ୍ତର ସହିତ ସଫଳ ସଂଯୋଗକାରୀ, ଗରିବ ହିତୈଷୀ ନୀତି ନିର୍ଦ୍ଧାରକ, ଜନଗଣଙ୍କର ପ୍ରଖର ପ୍ରେରଣାଦାୟୀ, ସର୍ବୋପରି ଲୋକଙ୍କୁ ନିର୍ମଳ ହୃଦୟରେ ଭଲ ପାଉଥିବା ଜଣେ ଲୋକାଭିମୁଖୀ ନେତା ଅଟନ୍ତି। ଜଣେ କର୍ମଠ, ସଚ୍ଚୋଟ, ସ୍ନେହୀ, ଉତ୍ସର୍ଗୀକୃତ, ପରୋପକାରୀ, ବଦାନ୍ୟ, ଦରଦୀ,ମେଳାପି, ବିଶ୍ୱସ୍ତ, ନିଷ୍ଠାପର ତଥା ଦାୟିତ୍ୱବାନ ଆଦି ସୁଗୁଣ ସମ୍ପନ୍ନ ଶ୍ରୀ ମିଶ୍ରଙ୍କର ତଳ ସ୍ତରରେ କାର୍ଯ୍ୟ କରିବା ନେଇ ବିଶେଷତା ,ସମସ୍ୟାର ସରଳ ସମାଧାନ କରିବା ନେଇ ବିଚକ୍ଷଣତା ଏବଂ ଜନତା ଜନାର୍ଦ୍ଦନଙ୍କୁ ପ୍ରଭାବିତ କରିବା ନେଇ ଅସାମାନ୍ୟ ପାରଦର୍ଶିତା ରହିଛି। ବର୍ତ୍ତମାନର ଷଷ୍ଠ ଛତିଶଗଡ଼ ବିଧାନସଭାରେ ସେ ଏକମାତ୍ର ଓଡ଼ିଆ ସଦସ୍ୟ ଵନିବାର ସୌଭାଗ୍ୟ ଲାଭ କରିଛନ୍ତି।

୬୬ ବର୍ଷୀୟ ଶ୍ରୀ ମିଶ୍ର ୧୯୫୯ ଜାନୁୟାରୀ ତିନି ତାରିଖରେ ମହାସମୁନ୍ଦର ବସନା ବ୍ଲକ ସ୍ଥିତ ଦୁର୍ଗାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୭ ବର୍ଷ ବୟସରେ ସେ ପିତୃହରା ହୋଇଥିଲେ। ପିଲାବେଳୁ ତାଙ୍କର ଜେଜେବାପା ପଣ୍ଡିତ ତ୍ରିଲୋଚନ ପ୍ରସାଦ ମିଶ୍ର ତାଙ୍କର ଲାଳନପାଳନ ଓ ଶିକ୍ଷା ଦୀକ୍ଷା କଥା ବୁଝି ଆସିଛନ୍ତି ଏବଂ ତାଙ୍କୁ ଭବିଷ୍ୟତରେ ବଡ଼ ମଣିଷ ହେବା ପାଇଁ ପ୍ରେରଣା ଯୋଗାଇଛନ୍ତି । ଶିକ୍ଷା ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ପୁରନ୍ଦର ମିଶ୍ର ରାୟପୁରର ଜଣେ ଜଣାଶୁଣା ଚାଟାର୍ଡ ଏକାଉଣ୍ଟଟାଣ୍ଟ ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏହା ସାଙ୍ଗକୁ ସେ ଟିକସ ମାମଲାର ଆଇନଜିବୀ ଭାବରେ ମଧ୍ଯ ସୁନାମ ଅର୍ଜନ କରିଛନ୍ତି।

ଶ୍ରୀ ମିଶ୍ର ୧୯୮୩ ମସିହା ଫେବୃୟାରୀ ୧୫ ତାରିଖରେ ସରସ୍ବତୀ ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇପୁଅ ଯୁବନେତା ପୀୟୂଷ ମିଶ୍ର ଏବଂ ତରୁଣ ସମାଜସେବୀ ସୌରଭ ମିଶ୍ର ଅଟନ୍ତି। ଏକମାତ୍ର ଝିଅ ପ୍ରୀତି ଦେବତା ଉଦୀୟମାନ ଶିଳ୍ପଦ୍ୟୋଗୀ ଅଜୟ ଦେବତାଙ୍କୁ ବିବାହ କରିଛନ୍ତି। ବିଧାୟକ ରହିବା ସାଙ୍ଗକୁ ନିଜର ଅଧ୍ୟବସାୟ ଓ ସମର୍ପିତ ସେବା ପାଇଁ ଶ୍ରୀ ମିଶ୍ର ବହୁ ସମ୍ମାନସ୍ପଦ ପଦ ପଦବୀରେ ଆସୀନ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ ରାୟପୁରର ଶ୍ରୀ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ସେବାସଙ୍ଘର ସଭାପତି, ୱାର୍ଲଡ ଓଡ଼ିଶା ସୋସାଇଟି ରାୟପୁର ଶାଖାର ମୁଖ୍ୟ ପୃଷ୍ଠପୋଷକ, ଛତିଶଗଡ଼ ପରିବହନ ମହାସଙ୍ଘର ପୃଷ୍ଠପୋଷକ ଏବଂ ରାୟପୁର ମେଟ୍ରୋପଲିଟାନ କବାଡ଼ି ସଙ୍ଘର ଉପଦେଷ୍ଟା ରହିଛନ୍ତି। ନିଜର ଅନନ୍ୟ ଅବଦାନ ଓ ଉଲ୍ଲେଖନୀୟ ସମାଜ ସେବା ପାଇଁ ଶ୍ରୀ ମିଶ୍ରଙ୍କୁ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି। ଏ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ,
ଶ୍ରୀ ଜଗନ୍ନାଥ ପୁରସ୍କାର ଆଦି ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟ ଆହ୍ୱାନ “ମା ପାଇଁ ଗଛଟିଏ” ଦ୍ୱାରା ବ୍ୟାପକ ଭାବେ ଉଦବୁଦ୍ଧ ହୋଇ ଶ୍ରୀ ମିଶ୍ର ନିଜର ପୈତୃକ ଗ୍ରାମ ଦୁର୍ଗାପାଲିଠାରେ ଦୁଇଶହ ଏକାବନଟି ସିନ୍ଦୂର ଚାରା ରୋପଣ କରି ପହଲଗାମ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଉଦ୍ୟାନ ନିର୍ମାଣ କରିଛନ୍ତି। ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଐତିହାସିକ ଉଦ୍ୟାନକୁ ଉଦଘାଟନ କରିଥିଲେ।

ସମାଜର ଶେଷ ପାହାଚରେ ଦଣ୍ଡାୟମାନ ଥିବା ସାଧାରଣ ଲୋକଙ୍କର ଜୀବନ ଓ ଜୀବିକାର ମାନକୁ ଉନ୍ନତ ତଥା ଉତ୍ତମ କରିବା ପାଇଁ ତାଙ୍କର ରାଜନୀତି ଅଭିପ୍ରେତ ବୋଲି ଦର୍ଶାଉଥିବା ଶ୍ରୀ ମିଶ୍ର ବାସ୍ତବରେ ସମାଜରେ ଜଣେ ପବିତ୍ର ପୁରୁଷର ମାନ୍ୟତା ପ୍ରାପ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *