ରାଉରକେଲା କାର୍ଯ୍ୟାଳୟ : ଥାନା ପଛପଟ ରେଳଧାରଣାରେ ଯୁବତୀଙ୍କୁ ଗଣଦୁଷ୍କର୍ମ । କାର୍ଯ୍ୟରତ ରେଳ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିବା ପରେ ପୁଲିସ୍ ଜିମା ଦେଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି । ଏହି ଲଜ୍ଜାଜନକ ଘଟଣା ସୋମବାର ରାତି ପ୍ରାୟ ସାଢେ ୭ଟାରେ ରଘୁନାଥପାଲି ଥାନା ପଛ ପାର୍ଶ୍ବରେ ରହିଥିବା ରେଳଧାରଣାରେ ଘଟିଛି ।
ରାତି ପ୍ରାୟ ସାଢେ ୭ଟା । ଜଣେ ଯୁବତୀ ରେଳଧାରଣାରେ ଦୌଡ଼ି ଦୌଡ଼ି ନିକଟରେ ଥିବା ରେଲୱେ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କେତେକ ଯୁବକ ତାଙ୍କୁ ରେଳଧାରଣାରେ ଟଣାଓଟରା କରିବା ସହିତ ପୋଷାକ ଫାଡ଼ି ଦେଇଥିବା କହିଥିଲେ । ଯୁବତୀ ଜଣକ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ଥିଲେ ବୋଲି କାର୍ଯ୍ୟରତ ରେଳ କର୍ମଚାରୀ କହିଛନ୍ତି । ଯୁବତୀଙ୍କ ହାବଭାବ ଦେଖି ସେ ଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହରେ ରେଳ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ କହିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଯୁବତୀଙ୍କୁ ପୋଷାକ ପିନ୍ଧିବାକୁ ଦେଇଥିଲେ । ପରେ ରଘୁନାଥପାଲି ଥାନା ପୁଲିସ୍ ଖବର ପାଇ ରେଳ କାର୍ଯ୍ୟାଳୟରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ପାନପୋଷ ଏସ୍ଡିପିଓ ରଞ୍ଜିତ ରଞ୍ଜନ ମହାପାତ୍ର ଥାନାରେ ପହଞ୍ଚିଥିଲେ । ରଘୁନାଥପାଲି ଥାନା ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ସ୍ୱାଇଁ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି । ସନ୍ଦେହରେ ୨ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି । ତେବେ ଏହି ଘଟଣାରେ କେତେ ଜଣଙ୍କ ସମ୍ପୃକ୍ତି ରହିଛି, ତାହା ସ୍ପଷ୍ଟ ସୂଚନା ମିଳିନି । ଯୁବତୀ ଜଣକ କେଉଁ ଅଞ୍ଚଳର ସେ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ ।