ନୂଆଦିଲ୍ଲୀ : ଏଣିକି ଆଧାର ଅପଡେଟ୍ ସମ୍ପୂର୍ଣ୍ଣ ମାଗଣା। ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଏଥର କୌଣସି ଅର୍ଥ ଦେବାକୁ ପଡିବ ନାହିଁ କିନ୍ତୁ ଏହା କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ଉଦ୍ଧିଷ୍ଟ। ଯାହାକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମ ବର୍ଗ ପାଞ୍ଚରୁ ସାତ ବର୍ଷ ବୟସର ପିଲାମାନଙ୍କ ପାଇଁ ଏବଂ ଦ୍ୱିତୀୟ ବର୍ଗ ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ । ପ୍ରକୃତରେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏକ ଶିଶୁ ଆଧାର କାର୍ଡ ଜାରି କରାଯାଇଥାଏ, ଯାହାକୁ ପାଞ୍ଚ ବର୍ଷ ପରେ ଅପଡେଟ କରାଯାଏ। ତେବେ ଏହି ଅପଡେଟ୍ ପାଇଁ ଏକ ଶୁଳ୍କ ଦେବାକୁ ପଡୁଥିଲା, ଯାହାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ସରକାର।

ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ ପିଲାମାନଙ୍କ ପାଇଁ ଛାଡ଼ କରିଛି ଆଧାରର ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ସମସ୍ତ ଫି’।ଯାହା ଗତ ୧ ତାରିଖରୁ ଲାଗୁ ହୋଇଥିବା ବେଳେ ଏହା ଆଗାମୀ ଏକ ବର୍ଷ ପାଇଁ ବଳବତ୍ତର ରହିବ। ଏହା ପ୍ରାୟ ୬ କୋଟି ପିଲାଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି।୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଫଟୋଗ୍ରାଫ୍,ନାମ,ଜନ୍ମ ତାରିଖ,ଲିଙ୍ଗ,ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଞ୍ଜୀକରଣ କରାଯାଏ। ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଧାର ପଞ୍ଜୀକରଣ ପାଇଁ ଆଙ୍ଗୁଠିର ଛାପ ଏବଂ ଆଇରିସ୍ ବାୟୋମେଟ୍ରିକ୍ସ କ୍ୟାପଚର କରାଯାଏ ନାହିଁ କାରଣ ଏଗୁଡ଼ିକ ସେହି ବୟସରେ ପରିପକ୍ୱ ହୋଇନଥାଏ। ନିୟମ ଅନୁଯାୟୀ, ପାଞ୍ଚ ବର୍ଷ ବୟସ ହେବା ପରେ ପିଲାମାନଙ୍କର ଆଙ୍ଗୁଠିର ଛାପ,ଆଇରିସ୍ ଏବଂ ଫଟୋକୁ ନେଇ ଆଧାର ଅପଡେଟ୍ କରିବା ବାଧ୍ୟତାମୂଳକ ଏବଂ ୧୫-୧୭ ବର୍ଷ ବୟସ ମଧ୍ୟରେ ଦ୍ୱିତୀୟ ଅପଡେଟ୍ କରିବା ଆବଶ୍ୟକ। ଏହି ଅପଡେଟ୍ଗୁଡ଼ିକ ୫-୭ ବର୍ଷ ବୟସ ଏବଂ ୧୫-୧୭ ବର୍ଷ ବୟସ ଗୋଷ୍ଠୀର ପିଲାମାନଙ୍କ ପାଇଁ କୌଣସି ଶୁଳ୍କ ବିନା ଅନୁମତିପ୍ରାପ୍ତ। ଏହା ପରେ ପ୍ରତି MBU ପାଇଁ ୧୨୫ ଟଙ୍କା ଶୁଳ୍କ ଆଦାୟ କରାଯାଇଥାଏ।

