8 Dec 2025, Mon

ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ଅପହରଣ ଘଟଣାରେ ୪ ଜଣ ଗିରଫ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି କାଈଁଶୀର ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାରଙ୍କ
କାର‌୍ୟ୍ୟାଳୟକୁ ଶନିବାର ରାତ୍ରି ପ୍ରାୟ ସାଢ଼େ ୬ଟା ସମୟରେ ଅଚାନକ କିଛି ଶିଖ ଯୁବକ ପ୍ରବେଶ କରି ତାଙ୍କୁ ମାଡ ମାରିବା ସହିତଗି ଅପହରଣ କରି ନେଇଥିବା ଘଟଣାରେ ଅଇଁଠାପାଲି ପୁଲିସ ୪ ଜଣଙ୍କୁ ଗିରଫ  କରିଛି । ପୁଲିସର ସୂଚନା ଅନୁଯାୟୀ, ମନୋଜ ବହିଦାର ଟ୍ରାନ୍ସପୋର୍ଟ ବ୍ୟବସାୟ କରନ୍ତି। ଝାରଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲାର ମୂଳ ନିବାସୀ ତଥା ଏବେ ବରେଇପାଲି ଠାରେ ରହୁଥିବା ରମଦୀପ ସିଂଙ୍କ ୫ଟି ୧୨ ଚକିଆ ଡମ୍ଫର ଗାଡିକୁ ସେ କଥାବାର୍ତ୍ତା ହେବା ପରେ ମନୋଜ ବହିଦାରଙ୍କୁ ଭଡାରେ ଦେଇଥିଲେ । ଏ ସମ୍ପର୍କରେ ୩୦ ହଜାର ଟଙ୍କା ଦେବାର ବାକି ରହିଥିବା ବେଳେ ମନୋଜ ବହିଦାର ଉକ୍ତ ଟଙ୍କା ରମନଦୀପ ସିଂହଙ୍କୁ ଦେବାରେ ବିଳମ୍ବ କରିଥିଲେ । ଏହାକୁ ନେଇ ରମଣଦୀପ ସିଂହ ଶନିବାର ସନ୍ଧ୍ୟାରେ ମନୋଜ ବହିଦାରଙ୍କ କାର‌୍ୟ୍ୟାଳୟକୁ ତାଙ୍କର କିଛି ସର୍ମ୍ପକୀୟଙ୍କ ସହିତ ଯାଇ ଏକ ଧାରୁଆ ଅସ୍ତ୍ର ଦେଖାଇ ମାଡ ମାରି ଅପହରଣ କରି ବରେଇପାଲି ଗୁରୁଦ୍ୱାରା ନିକଟକୁ ନେଇ ଯାଇଥିଲେ । ଏହି ସମୟ ମଧ୍ୟରେ ପୀଡିତ ବ୍ୟକ୍ତିଙ୍କ ନିକଟରୁ ନଗଦ ୩୦ ହଜାର ଟଙ୍କା ସହିତ ୟୁପିଆଇ ଜରିଆରେ ୩୦ ହଜାର ଟଙ୍କା ନେଇଥିଲେ ।

ମନୋଜ କୌଣସି ମତେ ବର୍ତ୍ତି ଯାଇ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ତଦନ୍ତ ସମୟରେ ପୁଲିସ ରମନଦୀପ ସିଂହ, ସାଥି ତଥା ପଞ୍ଜାବ ରାଜ୍ୟ ଅମୃତସର ଜିଲାର ନିବାସୀ ମନପ୍ରିତ ସିଂ, ଝାରଖଣ୍ଡ ରାଜ୍ୟ ପୁର୍ବ ସିଂହଭୂମ ଜିଲା ନିବାସୀ ସରବଜିତ ସିଂହ ଓ ମନଜୋତ ସିଂହଙ୍କୁ ଗିରଫ କରି କୋର୍ଟଚଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ବ୍ୟବହୃତ ଧାରୁଆ ଅସ୍ତ୍ର, ଜିପ ଓ ଗୋଟିଏ ମୋବାଇଲ ଫୋନ ପୁଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ସମସ୍ତ ତଥ୍ୟ ସିସିଟିଭିରେ କଏଦ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *