6 Dec 2025, Sat

ସମ୍ବଲପୁରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ଙ୍କୁ ମାଡ ମାରି ଅପହରଣ

ସମ୍ବଲପୁର: ସମ୍ବଲପୁରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ନାମକ ଜଣେ ଯୁବକଙ୍କୁ ମାଡ ମାରି ଅପହରଣ କରାଯାଇଛି। ମାତ୍ର ମନୋଜ  ଅଭିଯୁକ୍ତମାନଙ୍କ କବଳରୁ ଖସିଆସିବାରେ ସଫଳ ହୋଇଛନ୍ତି। ଅଇଁଠାପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମନୋଜ ପେଶାରେ ଜଣେ ଟ୍ରାନ୍ସପୋର୍ଟର।

ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଅଇଁଠାପାଲିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ପ୍ରାୟ ୫ ଜଣ ଯୁବକ ଅଚାନକ ତାଙ୍କର କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲେ। ସନ୍ଧ୍ୟା ସାଢ଼େ ୬ଟା ହୋଇଥିବାରୁ ତାଙ୍କର କର୍ମଚାରୀମାନେ ଘରକୁ ଯାଇ ସାରିଥିବା ବେଳେ ସେଠାରେ ଥିବା ଆଉ ୨ ଜଣ କର୍ମଚାରୀ ମଧ୍ୟ ଘରକୁ ଯିବା ପାଇଁ ବାହାରୁଥିଲେ । ସେହି ସମୟରେ ସେମାନେ କାର୍ଯ୍ୟାଳୟକୁ ପ୍ରବେଶ କରି ମନୋଜଙ୍କୁ ପ୍ରବଳ ମାଡ ମାରିବା ସହିତ ଖଣ୍ଡାରେ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହା ପରେ ତାଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଘୋଷାଡି ନେଇ ଏକ ଜିପରେ ବସାଇ ଅପହରଣ କରି ନେଇଥିଲେ। ସେମାନେ ଅପହରଣ କରିବା ସମୟରେ ଦାମୀ ସୁନା ମାଳି, ପକେଟରେ ଥିବା ୪୦ ହଜାର ଟଙ୍କା ଏବଂ ୟୁପିଆଇ ମାଧ୍ୟମରେ ୩୦ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ। ଏହି ଘଟଣା ଦେଖି କାର୍ଯ୍ୟାଳୟରେ ଥିବା ୨ କର୍ମଚାରୀ ମନୋଜଙ୍କୁ ଅପହରଣ କରି ନିଆଯାଉଥିବା ଗାଡିକୁ ପିଛା କରିଥିଲେ । ସେମାନେ ବରେଇପାଲି ପର୍ଯ୍ୟନ୍ତ ନେଇ ଯାଇଥିବା ବେଳେ କୌଣସି ମତେ ମନୋଜ ବହିଦାର ସେମାନଙ୍କ କବଳରୁ ଖସି ଆସି ଅଇଁଠାପାଲି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ମନୋଜଙ୍କୁ ଆକ୍ରମଣ କରି ମାଡ ମାରିବା ଓ ଅପହରଣ କରି ନେବା ସମୟର ସମସ୍ତ ଘଟଣାବଳୀଗୁଡିକ ତାଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି। ଏ ନେଇ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଆକ୍ରମଣକାରୀମାନଙ୍କୁ ଗୋଡାଇ ଗୋଡାଇ ଧରିବା ସହିତ ପଚରାଉଚୁରା କରୁଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *