6 Dec 2025, Sat

ଜାତୀୟ ସମ୍ମାନ ବିଜେତା ସର୍ବକନିଷ୍ଠ ଶିଶୁ କଳାକାର, ‘ନାଲ୍‌-୨’ ପାଇଁ ସମ୍ମାନୀତ ହେଲେ ତ୍ରୀଶା ବିବେକ

ନୂଆଦିଲ୍ଲୀ  : ଚଳିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଶ୍ରେଷ୍ଠ ଶିଶୁ କଳାକାର ସମ୍ମାନ ଲାଭ କରିଥିବା ତ୍ରୀଶା ବିବେକ ଥୋସାର ଦେଶର ସର୍ବକନିଷ୍ଠ ଜାତୀୟ ପୁରସ୍କାର ବିଜେତା ହୋଇଛନ୍ତି । ଗତ ୨୪ ତାରିଖରେ ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମାନ ଉତ୍ସବରେ ମରାଠୀ ଫିଲ୍ମ ନାଲ୍‌-୨ର ଶିଶୁ କଳାକାର ତ୍ରୀଶା ମାତ୍ର ୪ ବର୍ଷ ବୟସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠୁ ଜାତୀୟ ପୁରସ୍କାର ଲାଭ କରିଛନ୍ତି ।

ପୁରସ୍କାର ଗ୍ରହଣ ପାଇଁ ତ୍ରୀଶା ଯେତେବେଳେ ମଞ୍ଚ ଉପରକୁ ଗଲେସେଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି କରତାଳି ଦ୍ୱାରା ତାଙ୍କୁ ଉତ୍ସାହିତ କଲେ ଏବଂ ଅଭିନନ୍ଦନ ଜଣାଇଲେ । ତ୍ରୀଶା ଥିଲେ ପୁରସ୍କାର ଉତ୍ସବର ମୁଖ୍ୟ ଆକର୍ଷଣ ଓ ସବୁଠୁ ବଡ଼ ଷ୍ଟାର୍‌ । ତ୍ରୀଶା ଗୋଲ୍ଡେନ୍‌ ଲୋଟସ୍‌ ସହିତ ପ୍ରମାଣପତ୍ର ଓ ନଗଦ ପୁରସ୍କାର ଲାଭ କଲେ । ଶିଶୁ କଳାକାର ବିଭାଗରେ ପୁରସ୍କୃତ ହୋଇଥିବା ସର୍ବକନିଷ୍ଠ କଳାକାର ଭାବେ ତ୍ରୀଶା ନୂଆ ରେକର୍ଡ କଲେ ।

ସୁଧାକର ରେଡ୍ଡୀ ୟାକ୍କନ୍ତୀଙ୍କ ନିର୍ଦ୍ଦେଶିତ ନାଲ୍‌-୨ରେ ତ୍ରୀଶା ଚିମି ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ନିଚ୍ଛକ ପ୍ରଦର୍ଶନ ଓ ପରଦାରେ ଉପସ୍ଥିତି ଜୁରି ସଦସ୍ୟଙ୍କ ମନ କିଣିଲା । ଫିଲ୍ମ ସୁଟିଂ ସମୟରେ ତ୍ରୀଶାଙ୍କ ବୟସ ୩ ବର୍ଷ ଥିଲାଯାହା ତାଙ୍କର ଏକ ବଡ଼ ଉପଲବ୍ଧି । ତ୍ରୀଶା ନିଜ ଉପଲବ୍ଧିର ଖୁସି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ରାଷ୍ଟ୍ରପତିଙ୍କଠୁ ସମ୍ମାନ ଲାଭ କରିବାର ଖୁସି ବ୍ୟକ୍ତ କରିବା ସହିତ ଅନେକ ପ୍ରତିଷ୍ଠିତ କଳାକାରଙ୍କ ସହ ସାକ୍ଷାତର ସୁଯୋଗ ପାଇଥିବାରୁ ସେ ଏହି ମୁହୂର୍ତ୍ତକୁ ଅଭୁଲା ଓ ଆନନ୍ଦମୟ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *