8 Dec 2025, Mon

ଲେହରେ ଫେରିବ ଶାନ୍ତି, ଆଲୋଚନା ପାଇଁ ସ୍ଵତନ୍ତ୍ର ପ୍ରତିନିଧି ପଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,  : ଲଦାଖରେ ଜେନ-ଜିଙ୍କ ବିଦ୍ରୋହ ପରେ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସ୍କୁଲ, କଲେଜ, ଦୋକାନ ବଜାର ସବୁ ବନ୍ଦ ରହିଛି। ଶାନ୍ତି ବୁଝାମଣା ପାଇଁ ନୂଆଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ଵତନ୍ତ୍ର ପ୍ରତିନିଧି ପଠାଇଛି। ସେପଟେ ଲେହ ଓ କାର୍ଗିଲ୍ ଜିଲ୍ଲାରୁ ତିନି ତିନି ଜଣ ଲେଖାଏଁ ୬ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ବୈଠକ ହେବ। ଲେହ ଏପେକ୍ସ ବଡିର ଅଧ୍ୟକ୍ଷ ଥୁପସ୍ତାନ ଛେୱାଙ୍ଗ କହିଛନ୍ତି ଯେ, କେନ୍ଦ୍ରରୁ ପ୍ରତିନିଧି ଆସିଛନ୍ତି। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଭଳି ଲାଗୁଛି।

ସୂଚନାନୁଯାୟୀ, ବୁଧବାର ଲଦାଖରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଜେନ-ଜିଙ୍କ ବିକ୍ଷୋଭରେ ଶାନ୍ତିପୂର୍ଣ୍ଣ ଘାଟି ଅଶାନ୍ତିର ନିଆଁରେ ଜଳୁଥିଲା। ଗୁରୁବାର ମଧ୍ୟ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଲେହ ସହରରେ କର୍ଫ୍ୟୁ ଜାରି କରିଥିଲେ। ଏହି ବିଦ୍ରୋହରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦ ଜଣ ଆହତ ହୋଇଥିଲେ। ସେହିପରି ହିଂସା ସୃଷ୍ଟି କରିବା ଅଭିଯୋଗରେ ପ୍ରାୟ ୫୦ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଲେହ ମାଜିଷ୍ଟ୍ରେଟ୍ ରୋମିଲ ସିଂହ ଡୋନକ ଶୁକ୍ରବାର ଠାରୁ ଦୁଇ ଦିନ ଯାଏଁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଅଶାନ୍ତି ପଛରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ୱାଙ୍ଗଚୁକ୍‌ଙ୍କ ଉସୁକାଇଲା ଭଳି ବୟାନବାଜି ଯୋଗୁ ହିଂସାକାଣ୍ଡ ହୋଇଥିଲା । ଏହା ପଛରେ କେତେକ ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ଛପି ରହିଛି । କିଛି ଲୋକ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଏବଂ ୬ଷ୍ଠ ଅନୁସୂଚୀ ବିସ୍ତାର ଉପରେ ଲଦାଖବାସୀଙ୍କ ସହ ଆଲୋଚନାର ପ୍ରଗତିକୁ ନେଇ ଖୁସି ନାହାନ୍ତି । ତେଣୁ ସେମାନେ ଏଥିରେ ବାଧା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଏହି ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ କମିଟି ଅକ୍ଟୋବର ୬ରେ ବୈଠକ ବସିବାର ଅଛି । ଏହା ପୂର୍ବରୁ ଲଦାଖ ନେତାଙ୍କ ସହ ବୈଠକ କରାଯିବ ।

Leave a Reply

Your email address will not be published. Required fields are marked *