ବସନ୍ତ କୁମାର ସାଣ୍ଡିଲ, ବହଳଦା
ମୟୂରଭଞ୍ଜ ; ତତ୍କାଳୀନ ମୟୂରଭଞ୍ଜ ମହାରାଜାଙ୍କ ରାଜତ୍ୱ କାଳରେ, ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରେ ଥିବା ତିରିଂ ଗାଁରେ ଏକ ମୁସଲିମ ପରିବାର ରହୁଥିଲେ। ଏହି ପରିବାର ସେମାନଙ୍କ ଘର ଅଗଣା ସହିତ ସଂଲଗ୍ନ ପଡିଆରେ ଦେବୀ ଦୁର୍ଗାଙ୍କ ପୂଜା ଆୟୋଜନ କରିବା ଆରମ୍ଭ କରିଥିଲେ। ହେଲେ ସେତେବେଳେ ଲୋକମାନେ ସେମାନଙ୍କୁ ସାମ୍ପ୍ରଦାୟିକ ବୋଲି କହି ତାତ୍ସଲ୍ୟ କରିଥିଲେ। ପରେ ଗୋଟିଏ ବର୍ଷ, ତିରିଂ ଗାଁର ଜନୈକ ବ୍ୟକ୍ତି ଦେବୀ ଦୁର୍ଗାଙ୍କ ପୂଜା ଆୟୋଜନ କରିଥିଲେ। ହେଲେ ତିରିଂ ଗାଁରେ ଏକ ସମୟରେ ଦୁଇଟି ସ୍ଥାନରେ ଦୁର୍ଗା ପୂଜା ହେବାରୁ ଉକ୍ତ ମୁସଲିମ ପରିବାର ପକ୍ଷରୁ ଦୁର୍ଗା ପୂଜା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ସେବେଠାରୁ ତିରିଂ ଗାଁରେ ଦୂର୍ଗାପୂଜା ଆୟୋଜନ ବନ୍ଦ ରହିଥିଲା।

ତେବେ ବହୁ ବର୍ଷ ପରେ, ତିରିଂ ଗାଁରେ ରହୁଥିବା ସେହି ମୁସଲିମ ପରିବାରର ସମାଜସେବୀ ବଡ଼ ପୁଅ ନବାବ ଖାନ, ତାଙ୍କ ପୂର୍ବପୁରୁଷଙ୍କ ଦେବୀ ଦୁର୍ଗାଙ୍କ ପ୍ରତି ରହିଥିବା ଭକ୍ତି ସମ୍ବନ୍ଧରେ ଅବଗତ ହୋଇଥିଲେ ଏବଂ ୧୯୮୨ ମସିହାରେ, ତାଙ୍କ ଘର ସମ୍ମୁଖରେ ପୂଜା ଆୟୋଜନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମର୍ଥନ ଲୋଡିଲେ। ପରବର୍ତ୍ତୀ ସମୟରେ, ସମାଜସେବୀ ନବାବ ଖାନଙ୍କ ଅଧ୍ୟକ୍ଷତାରେ ସାର୍ବଜନୀନ ତିରିଂ ଦୁର୍ଗା ପୂଜା କମିଟି ଗଠନ କରାଯାଇଥିଲା ଏବଂ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ କରାଯାଇଥିଲା। ସମୟାନୁକ୍ରମେ ଦୀର୍ଘ ୧୮ ବର୍ଷ ଧରି ଦେବୀ ଦୁର୍ଗାଙ୍କ ପୂଜା ଆୟୋଜନ କରିବା ପରେ, ୧୯୯୯ ମସିହାରେ ନବାବ ଖାନଙ୍କ ଦେହାନ୍ତ ହୋଇଥିଲା। ଏହାପରେ ୨୦୦୦ ମସିହାରୁ, ତାଙ୍କ ବଡ଼ ପୁଅ ମହମ୍ମଦ ଅଲି ଖାନ ଦେବୀ ଦୁର୍ଗାଙ୍କ ପୂଜା ଆୟୋଜନ ଦାୟିତ୍ୱ ହାତକୁ ନେଇଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ତାଙ୍କୁ ଏଥିରେ ହୃଦୟର ସହ ସମର୍ଥନ କରିଛନ୍ତି।
ବର୍ତ୍ତମାନ ପୂଜା କମିଟି ଏବଂ ତିରିଂ ଅଞ୍ଚଳର ଲୋକଙ୍କ ଆର୍ଥିକ ସହାୟତାରେ ଉକ୍ତ ପୂଜାସ୍ଥଳରେ ଏକ ନୂତନ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଚଳିତ ବର୍ଷ, ତିରିଂରେ ଦୁର୍ଗା ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂଜା ମଣ୍ଡପରେ ମାଁ ଦୁର୍ଗାଙ୍କ ଆକର୍ଶଣୀୟ ମୃଣ୍ମୟ ମୂର୍ତ୍ତି ତିଆରି ହୋଇଛି। ଚଳିତ ବର୍ଷ ସାର୍ବଜନିନ ତିରିଂ ଦୁର୍ଗା ପୂଜା କମିଟିର ସଭାପତି ବଳଦେବ ହେମ୍ବ୍ରମ, ସଂପାଦକ ମହମ୍ମଦ ଅଲି ଖାନ, ଭାଗିରଥି ପାତ୍ର, ଶଙ୍କର ଲାଲ କ୍ଷତ୍ରୀ, ମୁରଲୀ ପ୍ରସାଦ ଗୁପ୍ତା, କାଲିପଦ ମହାନ୍ତ, ନରେନ୍ଦ୍ର କୁମାର ଦାସ, ଦୁଲ୍ଲବ ସାହୁ ଏବଂ ବାବଲି ସାମନ୍ତରାୟ ପ୍ରମୁଖଙ୍କ ତତ୍ବାବଧାନରେ ଶାରଦୀୟ ଦୁର୍ଗା ପୂଜା ଆୟୋଜନ କରାଯାଉଛି।

