8 Dec 2025, Mon

ବାଇକ୍‌ରେ ପିଟିହୋଇ ବସ୍‌ରେ ଲାଗିଲା ନିଆଁ, ଜଳିଗଲେ ୨୦ ଯାତ୍ରୀ

ଆଦ୍ୟାଶା ନିଉଜ ଡେସ୍କ : ହୁତୁ ହୁତୁ ହୋଇ ଜଳିଗଲା । ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ବସ୍‌ । ଜୀବନ୍ତ ଜଳିଗଲେ ଯାତ୍ରୀ । କିଏ କେଉଁ କାମରେ ଘରୁ ବାହାରିଥିବେ ହେଲେ ଅଧାବାଟରେ ସବୁକିଛି ଛାରଖାର ହୋଇଗଲା । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବଡ଼ ଅଘଟଣ ଘଟିଛି । ବାଇକ୍‌ ସହ ପିଟି ହୋଇ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଜୀବନ ବିକଳରେ କିଛି ଯାତ୍ରୀ ଡେଇଁ ପଡିଥିଲେ । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ । ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ବସ୍‌ । ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି ।

ପ୍ରାରମ୍ଭିକ ସୂଚନା ଅନୁସାରେ, ହାଇୱେରେ ବସ୍‌ଟି ଏକ ଦୁଇଚକିଆ ଯାନ ସହିତ ଧକ୍କା ହୋଇଥିଲା । ଏହାପରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ଘଟିବା ପରେ କିଛି ଲୋକ ଜୀବନ ବିକଳରେ ଏମରଜେନ୍ସି ଡୋର ଦେଇ ଡେଇଁ ପଡିଥିଲେ । ଆହତଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଏକେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକ ଓ ପୁଲିସ୍‌ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Leave a Reply

Your email address will not be published. Required fields are marked *