8 Dec 2025, Mon

ବଙ୍ଗୋପସାଗରରେ ପୁଣି ଲଘୁଚାପ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଦ୍ୟାଶା ନିଉଜ ଡେସ୍କ  : ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ, କେଉଁଆଡକୁ ମୁହଁାଇବ, ଓଡ଼ିଶାର କେଉଁ ଜିଲାରେ ବର୍ଷା ହେବ ତାକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ସମ୍ଭାବ୍ୟ ଅବପାତ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ଥିବା କେତେକ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଏହାର ଗତିବିଧି ଏବଂ ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି। ଲଘୁଚାପ ସୃଷ୍ଟି ହେଲା ପରେ ସ୍ପଷ୍ଟଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ; କିନ୍ତୁ ସମ୍ଭାବ୍ୟ ଲଘୁଚାପ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ଘଣ୍ଟାରେ ଆହୁରି ଘନୀଭୂତ ହେବ। ଏହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଥିଲା। ଫଳସ୍ବରୂପ ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଅନୁଗୋଳରେ ୧୧.୬, ଝାରସୁଗୁଡ଼ାରେ ୧୧.୯, କେନ୍ଦୁଝରରେ ୧୪.୪, ସୁନ୍ଦରଗଡ଼ରେ ୧୩.୮, ଭବାନୀପାଟଣାରେ ୧୨.୮, ବଲାଙ୍ଗିରରେ ୧୪.୪, କୋରାପୁଟରେ ୧୧.୭, ସୁବର୍ଣ୍ଣପୁରରେ ୧୩.୭, ରାୟଗଡ଼ାରେ ୧୩, ରାଉରକେଲାରେ ୧୨.୬, ଭୁବନେଶ୍ବରରେ ୨୦ ଏବଂ କଟକରେ ୧୮ ଡିଗ୍ରୀରେ ପାରଦ ପହଞ୍ଚିଛି।

Leave a Reply

Your email address will not be published. Required fields are marked *