5 Dec 2025, Fri

ବଙ୍ଗୋପସାଗରରେ ଆସୁଛି ବାତ୍ୟା: ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଜି ଅବପାତ, ୨୬ରେ ବାତ୍ୟା

ଆଦ୍ୟାଶା ନିଉଜ ଡେସ୍କ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା। କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ସେ ନେଇ କୌଣସି ଠିକ୍‌ ସୂଚନା ମିଳିପାରିନାହିଁ। ତଥାପି ଉତ୍ତର ଆନ୍ଧ୍ରପ୍ରଦେଶଠାରୁ ମିଆଁମାର ମଧ୍ୟରେ ଏହା ସ୍ଥଳଭାଗ ସ୍ପର୍ଶ କରିବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମାଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଉପରେ ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ ଆଜି ସେହି ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ସୋମବାର ଦକ୍ଷିଣ-ପୂର୍ବ ବ‌ଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପ‌ାରେ। ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍‌ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ସନ୍ଧ୍ୟାଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ୫୦ରୁ ୭୦ କିମି ରହିବ। ୨୬ ତାରିଖ ସକାଳୁ ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ସକାଳେ ପବନର ବେଗ ଆହୁରି ବୃଦ୍ଧି ପାଇବା ସହ ଘଣ୍ଟାପ୍ରତି ୧୦୦ କିମିରେ ପହଞ୍ଚିବ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦକ୍ଷିଣପୂର୍ବ ଆରବ ସାଗର ଏବଂ କୋମରିନ ପାର୍ଶ୍ୱବର୍ତ୍ତୀ ବିଷୁବରେଖା ଅଞ୍ଚଳ ଉପରେ ସକ୍ରିୟ ଦୁଇ ଘୂର୍ଣ୍ଣିବଳୟ ପୂର୍ବ-ପଶ୍ଚିମ ଭାବେ ଲମ୍ବିଥିବା ତଥା ଉଭୟ ଗୋଲାର୍ଦ୍ଧକୁ ଯୋଡ଼ୁଥିବା ଏକତ୍ରୀକରଣ ସ୍ତର ମଧ୍ୟରେ ଆବଦ୍ଧ ହୋଇରହିଛି। ଫଳସ୍ୱରୂପ ବିଷୁବରେଖା ନିକଟରେ ସୃଷ୍ଟି ହେଉଥିବା ବିଭିନ୍ନ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ତରଙ୍ଗ ସଂସ୍ପର୍ଶରେ ଆସିବା ସହ ଜଟିଳ ପାଣିପାଗ ପରସ୍ପର କ୍ରିୟାରେ ଜଡ଼ିତ ହୋଇଥିବାରୁ ଏହାର ଗତି ଅତ୍ୟନ୍ତ ଧିମା ରହିଛି। କୋମରିନ ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୪.୫ ଡିଗ୍ରି ଓ କିରେଇରେ ୧୪.୮ ଡିଗ୍ରି ରହିଥିଲା। ଆସନ୍ତା ୭ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଆସନ୍ତା ୨୭ ତାରିଖରୁ ରାଜ୍ୟକୁ ଶୁଷ୍କ ଥଣ୍ଡା ଉତ୍ତରା ପବନ ବହିବ। ଏହାଦ୍ବାରା ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମିବ। ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିବା ସହ ଶୀତ ବଢ଼ିବ। ଉପକୂଳ ଓ ସଂଲଗ୍ନ ବଙ୍ଗୋପସାଗରରେ ତାପମାତ୍ରା କମିବା ଯୋଗୁଁ ଗୋପାଳପୁରଠାରୁ ଉତ୍ତରରେ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଜଳପତ୍ତନର ତାପମାତ୍ରା ୨୭ ଡିଗ୍ରିକୁ କମିପାରେ। ଓଡ଼ିଶା ଉପକୂଳକୁ ଶୁଷ୍କ ବାୟୁର ପ୍ରବାହ ଓ ଥଣ୍ଡା ବଢ଼ିବା ଦ୍ବାରା ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାକୁ ପ୍ରତିକୂଳ ରହିବ। ତେବେ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ୨୭ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *