ଆଦ୍ୟାଶା ନିଉଜ ଡେସ୍କ : ବଲିଉଡର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ମମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆସନ୍ତା ଡିସେମ୍ବର ୨୫ ବଡ଼ିଦନରେ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଇକ୍କିସ’ ମୁକ୍ତିଲାଭ କରିବ । ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ହୋଇଛି । ଏହି ଫିଲ୍ମରେ ଧର୍ମେନ୍ଦ୍ର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସୁପରହିଟ୍ ପାରିବାରିକ ଚଳଚ୍ଚିତ୍ର “ଅପ୍ନେ’ର ସିକ୍ୱେଲ “ଅପ୍ନେ -୨’ ମୁକ୍ତିଲାଭ କରିବ । ଏହା ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶକ ଅନୀଲ ଶର୍ମା । ଏହି ଚଳଚ୍ଚିତ୍ରରେ ତାଙ୍କ ପୁଅ ସନି ଦେଓଲ ଏବଂ ବବି ଦେଓଲ ଏବଂ ନାତି କରଣ ଦେଓଲ ମଧ୍ୟ ଅଭିନୟ କରିଛନ୍ତି ।
ବଲିଉଡ୍ ଜଗତରେ ଦୀର୍ଘ ବର୍ଷ ହେବ ନିଜର ଅଭିନୟ ଯାଦୁରେ ଧର୍ମେନ୍ଦ୍ର କୋଟି କୋଟି ପ୍ରଶଂସକଙ୍କୁ ବାନ୍ଧି ରଖିଥିଲେ । ଅଭିନୟ କଳାରେ ନିପୁଣ ଏ ଅଭିନେତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେବା ପରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନଭେମ୍ବର ୧୦ରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା । ଏପରିକି ତାଙ୍କର ଦେହାନ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଏହି ଗୁଜବକୁ ଝିଅ ଈଶା ଦେଓଲ ଏବଂ ପତ୍ନୀ ହେମା ମାଳିନୀ ମିଛ ବୋଲି ସ୍ପଷ୍ଟ କରିଥଲେ । ହେଲେ ଆଜି ସବୁ ସଂପର୍କକୁ ପଛକୁ ଠେଲି ଧର୍ମେନ୍ଦ୍ର ଆରପାରିକୁ ଚାଲିଗଲେ । ତାଙ୍କ ଅନ୍ତ୍ୟେଷ୍ଟିରେ ବଲିଉଡର ବହୁ କଳାକାର ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସାରା ଦେଶ ଧର୍ମେନ୍ଦ୍ରଙ୍କ ପରଲୋକରେ ଶୋକ କରୁଛି ।

