ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ପ୍ରଥମ ଥର ପାଇଁ ଭୀମଭୋଇ ଲୋକ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବ ୪ ଦିନ ଧରି ରେଢ଼ାଖୋଲ ସହର ଉତ୍ସବ ମୁଖର ହୋଇ ରହିବ, ପ୍ରଥମ ଦୁଇ ଦିନ ରେଢ଼ାଖୋଲ ଐତିହ୍ୟ, ପରମ୍ପରା, କଳା କୁ ନେଇ ଉପଖଣ୍ଡ ସ୍ତରୀୟ ସ୍ଥାନୀୟ କଳାକାର ମାନେ ନିଜ କଳାକୁ ପ୍ରଦର୍ଶନ କରିବେ। ଉଦଘାଟନୀ ମହୋତ୍ସବ ରେ ପ୍ରଥମତଃ ରେଢ଼ାଖୋଲ ଇଷ୍ଠ ଦେବତା ପ୍ରଭୂ ପଞ୍ଚଖଣ୍ଡା ମନ୍ଦିରରେ ପୂଜାର୍ଚ୍ଚନା ପରେ ରେଢ଼ାଖୋଲ ଉପଜିଲ୍ଲାପାଳ ତଥା ଭୀମଭୋଇ ଲୋକ ମହୋତ୍ସବ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମହନ୍ତଙ୍କ ହସ୍ତରେ ମଶାଲ ଅଗ୍ନି ସଂଯୋଗ କରାଯାଇ ଏକ ଭବ୍ୟ ମଶାଲ ଶୋଭାଯାତ୍ରାରେ ସନ୍ଥ କବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ମାଲ୍ୟାର୍ପଣ ପୂର୍ବକ ଦୁଲଦୁଲି, ଦଣ୍ଡ ନୃତ୍ୟ ଓ ଖଞ୍ଜଣି ତାଳେ ତାଳେ ସ୍ଥାନୀୟ କଦମ୍ବ ପଡ଼ିଆ ସ୍ଥିତ ଭୀମଭୋଇ କଳା ମଣ୍ଡପରେ ପହଞ୍ଚିଥିଲେ। ଏହାପରେ ଉପଜିଲ୍ଲାପାଳ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ମଶାଲ ପ୍ରତିସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାରେ ରେଢ଼ାଖୋଲ ଉପଖଣ୍ଡର ମାନ୍ୟଗଣ୍ୟ ବ୍ୟକ୍ତି, ଜଣ ପ୍ରତିନିଧି, ଭୀମଭୋଇଙ୍କ ଅନୁଗାମୀ ସାଧୁସନ୍ଥ, ଗଣମାଧ୍ୟମ ପ୍ରତିନିଧି, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀଙ୍କ ସହ ଜନ ସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହାପରେ ସଂଧ୍ୟା ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ପଞ୍ଚଖଣ୍ଡାଙ୍କ ଠାରେ ଦୀପ ପ୍ରଜ୍ବଳନ ସାଙ୍ଗରେ ରିବନ କାଟି ଉପଜିଲ୍ଲାପାଳ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ, ବ୍ରହ୍ମ ଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ମଞ୍ଚାସିନ ରହି ଏହି ମହୋତ୍ସବ କୁ ଦୀର୍ଘାୟୁ କାମନା କରି ଏଥିରେ କଠିନ ପରିଶ୍ରମ ଫଳ ଉପୟାନ ହୋଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିରେ ପ୍ରଣାମ ଅନୁଷ୍ଠାନ ନୃତ୍ୟ ଦଳ, କେପସୁଲ କିଡ୍ସ କଳାକାର ଶ୍ରୀ ଜଗନ୍ନାଥ ପ୍ରଣାମୀ ନୃତ୍ୟ, କିସିଣ୍ଡା ହାଇସ୍କୁଲ ସମ୍ବଲପୁରୀ ନୃତ୍ୟ, ଡାଲଖାଇ ନୃତ୍ୟ ମୋଚିବହାଳ ନୃତ୍ୟ ଦଳ, ନାକଟିଦେଉଳ ଆଦର୍ଶ ବିଦ୍ୟାଳୟର ନୃତ୍ୟ ଦଳ ପ୍ରମୁଖ ସମେତ ଅନ୍ୟ କଳାକାର ମାନଙ୍କ ନୃତ୍ୟ କଳା ପ୍ରଦର୍ଶନରେ ଦର୍ଶକ ବିମୋହିତ ହୋଇଥିଲେ। ତା ସହିତ ମଞ୍ଚରେ ଏନଏସି କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମହୋତ୍ସବରେ ଶହ ଶହ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ।
।

