24 May 2026, Sun

ରାଜଧାନୀରେ ଏନ୍‌ସିବି ସହ ଗଞ୍ଜେଇ ମାଫିଆଙ୍କ ଫିଲ୍ମଷ୍ଟାଇଲ୍‌ ଛକାପଞ୍ଝା ,ଧରାପଡ଼ିଲେ ୩ ମାଫିଆ

ଭୁବନେଶ୍ବର: ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ପୁଲିସ ଓ ଆଇନକୁ ବେଖାତିର କରିଚାଲିଛନ୍ତି। ଘଟଣାକ୍ରମେ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଓ ପୁଲିସକୁ ଚାଲେଞ୍ଜ୍‌ କରି ଗଞ୍ଜେଇ ମାଫିଆ ବେସ୍‌ କିଛି ସମୟ ରାଜଧାନୀରେ ଆତଙ୍କ ସୃଷ୍ଟି କରିଛନ୍ତି। ଚଳଚ୍ଚିତ୍ର ଢାଞ୍ଚାରେ ବେସ୍‌କିଛି ଘଣ୍ଟା ଛକାପଞ୍ଝା ପରେ ପୁଲିସ ଓ ଏନ୍‌ସିବି କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ୩ଜଣ ଗଞ୍ଜେଇ ମାଫିଆ।

Ganjei metro1

ବୌଦ୍ଧରୁ ପଶ୍ଚିମବଙ୍ଗ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଗୁଇନ୍ଦା ସୂଚନା ପାଇଁ ଆଜି ଏନ୍‌ସିବି ଓ ଭରତପୁର ଥାନାର ପୁଲିସକର୍ମଚାରୀମାନେ କେତେକ ସ୍ଥାନରେ ତନଖିଫାଟକ ଓ ‌ବ୍ଲକିଂ ଲଗାଇଥିଲେ। ଗଞ୍ଜେଇ ନେଇ ଆସୁଥିବା ଦୁଇଟି ଏସ୍‌ୟୁଭି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡ଼ିଦୁଇଟି ନଅଟକାଇ ଦୁଇଟି ବ୍ଲକିଂ ପୋଷ୍ଟ୍‌ ଓ ତନଖିଫାଟକ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିଥିଲେ। କେବଳ ଏହାନୁହେଁ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଗାଡ଼ିଚପାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଶେଷରେ ଚନ୍ଦକା ଜଙ୍ଗଲକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ଧାରୁଆ ନିକଟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଗାଡ଼ିରୁ ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫକରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗୋଟିଏ ଏସ୍‌ୟୁଭିରେ ଗଞ୍ଜେଇ ଥିଲା। ଅନ୍ୟ ଏକ କାର୍‌ ଏହାକୁ ସୁରକ୍ଷା ଦେଇ ଚାଲିଥିଲା। ମାଫିଆଙ୍କୁ ଧରିବା ଉଦ୍ୟମରେ ଏକ ପୁଲିସ ପାଟ୍ରୋଲିଂ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସେଥିରେ ବସିଥିବା ଅଧିକାରୀମାନେ ସାମାନ୍ୟ ଆହତ ‌ହୋଇଛନ୍ତି। ଗିରଫ ତିନି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଆଇନରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବା ସହ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *