ସମ୍ବଲପୁର : ଦୁଇ ଦିନ ପରେ ପୁଣି ସମ୍ବଲପୁରରେ ଆଉ ଏକ ଏନକାଉଣ୍ଟର ହୋଇଛି। ସମ୍ବଲପୁର, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ନିଜର ଅପରାଧିକ ସାମ୍ରାଜ୍ୟ ଚଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ସୁନା ପୁଲିସ ଗୁଳିରେ ଆହତ ହୋଇଛି।
ଘଟଣା ଅନୁସାରେ, ଅଇଁଠାପାଲି ଥାନା ଅଞ୍ଚଳରେ ସମ୍ବଲପୁର ପୁଲିସ ଦ୍ୱାରା ବେଆଇନ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ବଣ୍ଟି ସୁନା ଏଥିରେ ସମ୍ପୃକ୍ତ ଅଛନ୍ତି। ପୂର୍ବରୁ ବଣ୍ଟି ଅସ୍ତ୍ରଶସ୍ତ୍ର ଅପରାଧ ଏବଂ ଡକାୟତି ଭଳି ବହୁ ମାମଲାରେ ଜଡିତ ଥିଲା। ବୌଦ୍ଧ-ସୋନପୁର ରୁଟ୍ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ନେଟୱାର୍କରେ ସକ୍ରିୟ ଥିଲା ବଣ୍ଟି। ସେ ଚୋରା ଚାଲାଣକାରୀଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଥିଲା ଏବଂ ଅସ୍ତ୍ରଶସ୍ତ୍ର ବଦଳରେ ଗଞ୍ଜେଇ ଯୋଗାଣ କରୁଥିଲା। ଏହି ଅଦଳବଦଳ ଅପରାଧିକ କାର୍ଯ୍ୟକଳାପ ପାଇଁ ସେ ମୁଖ୍ୟରାସ୍ତା ଓ ପୁଲିସ ଯାଞ୍ଚକୁ ଏଡାଇବା ପାଇଁ ସେ ଗୁପ୍ତ ଜଙ୍ଗଲ ଏବଂ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ରାସ୍ତା ବ୍ୟବହାର କରୁଥିଲା ବୋଲି ମଧ୍ୟ ପୁଲିସକୁ ସୂଚନା ମିଳିଥିଲା।

