24 May 2026, Sun

ବିଜେପି ସାମାଜିକ ଗଣମାଧ୍ୟମ ସଂଯୋଜକଙ୍କୁ ଆକ୍ରମଣ ମାମଲାରେ ଦୁଇ ଗିରଫ

ବରଗଡ଼ : ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସାମାଜିକ ଗଣମାଧ୍ୟମ ସଂଯୋଜକ ନୀଳାଞ୍ଚଳ ଦରୁଆନଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ମାମଲାରେ ପୁଲିସ ସୋମବାର ୨ ଜଣଙ୍କୁ ଗିରଫ କରି ମଙ୍ଗଳବାର ଅଦାଲତ ଚାଲାଣ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ; ମେ’ ୬ ମଧ୍ୟରାତ୍ରିରେ କେତେକ ଦୁର୍ବୃତ୍ତ ତାଙ୍କୁ ଘରୁ ଏକ ସ୍କର୍ପିଓରେ ଅପହରଣ କରି ନେଇଥିଲେ। ବଲାଙ୍ଗିର ଜିଲା ନଅଗାଁ ଜଙ୍ଗଲକୁ ନେଇ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରବଳ ମାଡ଼ ମାରି ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଭବିଷ୍ୟତରେ ବିଜେଡି ବିରୋଧରେ ସାମାଜିକ ଗଣମାଧ୍ୟମରେ ଲେଖିଲେ ଜୀବନରେ ମାରିଦେବାକୁ ଦୁର୍ବୃତ୍ତ ଧମକ ଦେଇ ଚାଲିଯାଇଥିଲେ। କିଛି ଲୋକ ସକାଳେ ନୀଳାଞ୍ଚଳଙ୍କୁ ଉଦ୍ଧାର କରି ତାଙ୍କ ଘରେ ଆଣି ଛାଡ଼ିଥିଲେ। ନୀଳାଞ୍ଚଳ ନିଜ ଗ୍ରାମ ସାରଙ୍ଗପୁରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ମେଲଛାମୁଣ୍ଡା ଥାନାରେ ମେ’ ୭ ରେ ଏ ନେଇ ଏତଲା ଦେଇଥିଲେ। ପରେ ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ଘଟଣାର ତଦନ୍ତ କରିଥିଲେ। ପୁଲିସ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ବରଗଡ଼ ବିଶିପଡ଼ାର ଆଜାଦ୍ ସାଦରିଆ ଓ ବରପାଲି ମିର୍ଦ୍ଧାପାଲିର ସୁବାସ ମିର୍ଦ୍ଧାଙ୍କୁ ଗିରଫ କରି ସୋହେଲା ଅଦାଲତ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସୋହେଲା ଜେଲ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ଦେବା ସହ ତୁରନ୍ତ ବ୍ୟବହୃତ ସ୍କର୍ପିଓ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଦୃଢ଼ୋକ୍ତି ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘଟଣା ତଦାରଖ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *