ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ଗୋଟିଏ ସମୟରେ ବାହାରିଛି ଏବଂ ପାସ୍ହାର ୮୫.୮୫% ହୋଇଛି। ୪ଟି ଯାକ ବିଭାଗକୁ ମିଶାଇ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୮ ହଜାର ୯୦ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୪୧ହଜାର ୭୮୧ଜଣ ପାସ୍ କରିଛନ୍ତି। ୨୦୨୫ରେ ପାସ୍ହାର ୮୨.୪୫% ଥିବା ବେଳେ ଏଥର ୩.୪୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଥମ ଶ୍ରେଣୀରେ ୧ଲକ୍ଷ ୨୯ହଜାର ୧୨୪, ଦ୍ବିତୀୟ ଶ୍ରେଣୀରେ ୭୮ହଜାର ୨୬୭ ଓ ତୃତୀୟ ଶ୍ରେଣୀରେ ୧ଲକ୍ଷ ୩୧ହଜାର ୭୪୬ଜଣ ପାସ୍ କରିଛନ୍ତି। ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୨୬୪୪ ଜଣ ରହିଛନ୍ତି। ବିଜ୍ଞାନ ବିଭାଗରେ ପାସ୍ହାର ସର୍ବାଧିକ ୮୮.୮୨% ହୋଇଥିବା ବେଳେ ବାଣିଜ୍ୟରେ ୮୮.୦୭%, କଳାରେ ୮୪.୫୦% ଓ ଧନ୍ଦାମୂଳକରେ ୭୭.୬୨% ହୋଇଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ମୋଟ ୬,୨୮୪ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
କଳା ବିଭାଗରେ ୨ ଲକ୍ଷ ୫୪ ହଜାର ୧୧୯ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ଲକ୍ଷ ୧୪ହଜାର ୭୩୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧ଲକ୍ଷ ୯ହଜାର ୬୨୦ଜଣ ଛାତ୍ରଙ୍କ ମଧ୍ୟରୁ ୮୫ହଜାର ୪୭୧ଜଣ ଏବଂ ୧ଲକ୍ଷ ୪୪ହଜାର ୪୯୯ଜଣ ଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୨୯ହଜାର ୨୫୪ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ହାର ୭୭.୯୭% ଓ ଛାତ୍ରୀଙ୍କର ୮୯.୪୫% ହୋଇଛି। ୫୩,୧୪୧ଜଣ ପ୍ରଥମ, ୪୯,୭୯୭ଜଣ ଦ୍ବିତୀୟ ଓ ୧,୧୧,୩୦୮ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବିଭାଗର ୬୧୪ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ସମ୍ବଲପୁର ଜିଲ୍ଲାର ପାସ୍ହାର ସର୍ବାଧିକ ୮୯.୪୮% ଓ ନବରଙ୍ଗପୁର ଜିଲ୍ଲାର ସର୍ବନିମ୍ନ ୭୭.୧୪% ହୋଇଛି। କମ୍ପାର୍ଟମେଣ୍ଟାଲ(ଆଂଶିକ ବର୍ଗ)ରେ ୪୯୨ଜଣ ରହିଛନ୍ତି।
ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧ଲକ୍ଷ ୧୩ହଜାର ୮୨୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୧ହଜାର ୧୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୫୭,୧୧୬ ଛାତ୍ରଙ୍କ ମଧ୍ୟରୁ ୪୯,୯୨୮ ଜଣ ଓ ୫୬,୭୧୦ ଛାତ୍ରୀଙ୍କ ମଧ୍ୟରୁ ୫୧,୧୭୬ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ହାର ୮୭.୪୧% ଓ ଛାତ୍ରୀଙ୍କ ପାସ୍ହାର ୯୦.୨୪% ହୋଇଛି। ୬୭,୪୫୦ଜଣ ପ୍ରଥମ, ୨୧,୭୧୭ଜଣ ଦ୍ବିତୀୟ ଓ ୧୦,୦୪୩ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୫,୧୦୧ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି। ବାଲେଶ୍ବର ଜିଲ୍ଲାର ପାସ୍ହାର ସର୍ବାଧିକ ୯୬.୬୩% ଓ କୋରାପୁଟ ଜିଲ୍ଲାର ସର୍ବନିମ୍ନ ୭୭.୧୪% ହୋଇଛି। ଆଂଶିକ ବର୍ଗରେ ୧,୮୯୪ଜଣ ରହିଛନ୍ତି।
ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୪,୨୮୯ଜଣଙ୍କ ମଧ୍ୟରୁ ୨୧,୩୯୩ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୫,୨୧୮ ଛାତ୍ରଙ୍କ ମଧ୍ୟରୁ ୧୩,୧୯୦ ଜଣ ଓ ୯,୦୭୧ ଛାତ୍ରୀଙ୍କ ମଧ୍ୟରୁ ୮,୨୦୩ ଜଣ ପାସ୍ କରିଛନ୍ତି। ଛାତ୍ର ଓ ଛାତ୍ରୀଙ୍କ ପାସ୍ହାର ଯଥାକ୍ରମେ ୮୬.୬୭% ଓ ୯୦.୪୩% ରହିଛି। ୭,୬୦୨ଜଣ ପ୍ରଥମ, ୪,୫୦୭ଜଣ ଦ୍ବିତୀୟ ଓ ୯,୨୪୧ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଏହି ବିଭାଗରେ ୫୬୮ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ବୌଦ୍ଧ ଜିଲ୍ଲାର ପାସ୍ହାର ସର୍ବାଧିକ ୧୦୦% ଓ ବଲାଙ୍ଗୀର ଜିଲ୍ଲାର ସର୍ବନିମ୍ନ ୭୭.୨୫% ହୋଇଛି। ଆଂଶିକ ବର୍ଗରେ ୧୪୩ଜଣ ପରୀକ୍ଷାର୍ଥୀ ଅଛନ୍ତି।
ଧନ୍ଦାମୂଳକ ବିଭାଗରେ ୫,୮୫୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୫୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୨,୮୪୯ ଛାତ୍ରଙ୍କ ମଧ୍ୟରୁ ୨,୦୩୭ ଜଣ ପାସ୍ କରିଛନ୍ତି। ପାସ୍ ପ୍ରତିଶତ ୭୧.୪୭% ହୋଇଛି। ସେହିପରି ୩,୦୦୭ ଛାତ୍ରୀଙ୍କ ମଧ୍ୟରୁ ୨,୫୦୯ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୮୩.୪୩% ହୋଇଛି। ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାର ପାସ୍ହାର ସର୍ବାଧିକ ୧୦୦% ଓ ଢେଙ୍କାନାଳ ଜିଲ୍ଲାର ପାସ୍ହାର ସର୍ବନିମ୍ନ ୫୫.୨୨% ହୋଇଛି। ୧୧୫ଜଣ ଆଂଶିକ ବର୍ଗରେ ରହିଛନ୍ତି।
ପରିଷଦ କାର୍ଯ୍ୟାଳୟରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଏନ୍ ତିରୁମାଲା ନାୟକ, ସ୍ବତନ୍ତ୍ର ସଚିବ ଲୋପାମୁଦ୍ରା ମହାନ୍ତି, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାର ଉପଯୁକ୍ତ ପରିଚାଳନା ଓ ଠିକ୍ ସମୟରେ ଫଳ ପ୍ରକାଶ ନିମନ୍ତେ ପରିଷଦ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

