ବାରିପଦା : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ବାଘ ଶିକାର ହୋଇଛି। ବିରଳ କଳା ମହାବଳ ବାଘ ଛୁଆର ଶିକାର ହୋଇଛି। ଏହି ଘଟଣାରେ ବନ ବିଭାଗ ଉକ୍ତ ବାଘ ଚମଡ଼ା ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।
ଏହି ଘଟଣାରେ ବନ ବିଭାଗ ମୟୂରଭଞ୍ଜଜିଲ୍ଲା ବଡ଼ପଥରା ପଞ୍ଚାୟତ ବନ୍ଧଗଡ଼ର ଗଙ୍ଗାଧର ମର୍ମୁ (୬୨), ପତିହିଞ୍ଜା ପଞ୍ଚାୟତ କଥରୁମାର ରାମଦାନ ହେମ୍ବ୍ରମ୍ (୪୦), ବୁଦ୍ଧିଖମାରିର ଜୋକା ଗାଁର ଭୀମା ବାସ୍କେ (୪୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ତିନିଟି ମୋଟରସାଇକଲ୍ ଓ ଅନ୍ୟ ଶିକାର ସାମଗ୍ରୀ ଜବତ ହୋଇଛି।
ସୂଚନାଯୋଗ୍ୟ, ବିଶ୍ବର ବିରଳ କଳା ମହାବଳବାଘ ଶିମିଳିପାଳରେ କେବଳ ରହିଛି। ସରକାରଙ୍କ ସୂଚନାନୁସାରେ ବର୍ତ୍ତମାନ ୨୦ଟି ବାଘ ରହିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ଚମଡ଼ାର ଅନେକ ଚାହିଦା ରହିଥିବାରୁ ଏହା ପଶୁଶିକାରରଙ୍କ ପ୍ରମୁଖ ଟାର୍ଗେଟ୍ରେ ରହଛି।
ଏହାପୂର୍ବରୁ ଜାନୁଆରି ୨୦୨୫ରେ, ଜେନାବିଲ୍ ଠାରେ ଏକ କିଶୋର କଳା ମହାବଳ ବାଘର ଛାଲ, ନଖ ଆଦି ଜବତ କରିବା ସହ ଏକାଧିକ ଶିକାରୀଙ୍କୁ ଗିରଫକରିଥିଲେ। ମାର୍ଚ୍ଚ ୨୦୨୬ ଅଭିଯାନରେ ବାରିପଦା ବନ ଡିଭିଜନ୍ ଅନ୍ତର୍ଗତ କୁଣିଅଣାରେ ୩ ବର୍ଷର କଳା ମହାବଳ ବାଘର ହତ୍ୟା କରାଯାଇଥିଲା। ଏଥିରେ ମଧ୍ୟ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
ଦିନକୁ ଦିନ କଳା ମହାବଳ ବାଘର ଶିକାର ବୃଦ୍ଧି ପାଉଥିବା ଏବଂ ଏହା ବନ୍ଦ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହେଉଥିବା ଦେଖିରୁ ପ୍ରକୃତିପ୍ରେମୀ ଓ ପରିବେଶବିତ୍ମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

