30 May 2026, Sat

ବେଆଇନ ମଦ କାରଖାନା ଠାବ, ୮ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ର଼୍ୟାକେଟ୍ ଉପରେ ଜିଲା ପୁଲିସ ବଡ଼ଧରଣର ଚଢ଼ଉ କରିଛି। ହୀରାକୁଦ ଜଳଭଣ୍ଡାରର ପଛୁଆ ଅଞ୍ଚଳ ଏବଂ ଆନ୍ତଃରାଜ୍ୟ ସୀମାନ୍ତରେ ବ୍ୟାପକ ଭାବେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ରେଙ୍ଗାଲି ଥାନା ଅଧୀନସ୍ଥ ବଡ଼ଧରା ଗ୍ରାମର ଖଜୁରିଆପଡ଼ାଠାରେ ପୁଲିସ ପକ୍ଷରୁ ଭୋର ସମୟରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ପୁଲିସ ସେଠାରେ ବେଆଇନ ଭାବେ ଚାଲିଥିବା ଏକାଧିକ ମଦ ପ୍ରସ୍ତୁତି କେନ୍ଦ୍ର ଠାବ କରିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ପ୍ରାୟ ୧୭ଟି ବେଆଇନ ଚୁଲି/ଭାଟିକୁ ଘଟଣାସ୍ଥଳରେ ଭାଙ୍ଗି ନଷ୍ଟ କରିଦେଇଥିଲା। ଏହାସହ ପ୍ରାୟ ୮୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ ମହୁଲ ପୋଚ ୩୦ କ୍ୱିଣ୍ଟାଲରୁ ଅଧିକ ଜବତ କରାଯାଇଛି। ଏଥିସହ ୨୦ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ କରାଯାଇଥିଲା। ଗୋଟିଏ ୪ ଚକିଆ ଯାନ ଏବଂ ୪ଟି ୨ ଚକିଆ ଯାନଜବତ କରାଯାଇଥିବା ବେଳେ ମଦ ପ୍ରସ୍ତୁତିରେ ବ୍ୟବହୃତ ବୃହତ ପାତ୍ର, ସରଞ୍ଜାମ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ‌ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏଥିନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଥିଲେ ଯେ, ରୁଜୁ ହୋଇଥିବା ୦୭ ଟି ମାମଲାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଓଡ଼ିଶା-ଛତିଶଗଡ଼ ଆନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଏକ ସଂଗଠିତ ବେଆଇନ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ନେଟୱର୍କ ସକ୍ରିୟ ରହିଛି। ଏହି କାରବାର ପଛରେ ଥିବା ଆର୍ଥିକ ସହାୟତାକାରୀ, ପରିବହନକାରୀ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଇଥିଲା। ଅଭିଯୁକ୍ତମାନେ ଯେପରି ହୀରାକୁଦ ଜଳଭଣ୍ଡାରର ଜଳପଥ କିମ୍ବା ଦୁର୍ଗମ ଅଞ୍ଚଳର ସୁଯୋଗ ନେଇ ଫେରାର ନ ହୋଇପାରିବେ, ସେଥିପାଇଁ ପୁଲିସ ଦଳ ପକ୍ଷରୁ ଏକକାଳୀନ ବିଭିନ୍ନ ଘର ତନଖି କରାଯିବା ସହ କମ୍ବିଂ ଅପରେସନ୍ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ସେମାନେ ହେଲେ କୁଞ୍ଜ ବେହେରା (୨୮), ପ୍ରଫୁଲ୍ଲ ବେହେରା (୨୪), କାର୍ତ୍ତିକ ବେହେରା (୬୦), ଅକ୍ଷୟ କୁମାର ବେହେରା (୨୩), ଭରତ ବେହେରା (୪୭), ସଞ୍ଜୟ ବେହେରା (୪୫), ରୂପରାମ ବେହେରା (୫୭) ଏବଂ ଭୂମିସୁତା ବେହେରା (୪୫) ପ୍ରମୁଖ। ଜିଲାରେ ବେଆଇନ ନିଶା କାରବାର ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆଗକୁ ଏଭଳି ସ୍ୱତନ୍ତ୍ର ଅପରେସନ୍ ଜାରି ରହିବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଘବେନ୍ଦ୍ର ସମ୍ମିଳନୀରେ କହିଥିଲେ।

Leave a Reply

Your email address will not be published. Required fields are marked *