ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ପାଟପୁର ନିକଟସ୍ଥ କାଠଯୋଡ଼ି ପଠାରୁ ମହିଳାଙ୍କ ଅଧାପୋତା ମୃତଦେହ ଜବତ ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଉଠାଇ ଆଣି ଥାନାରେ ନିର୍ଧୂମ ମାଡ଼ମାରି ଗୁରୁତର କରିବା ଅଭିଯୋଗ କ୍ରମେ ଦୁଇଦିନ ହେଲା ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ସ୍ଥିତି ବିଗିଡ଼ୁଥିବାରୁ ମାଡ଼ରେ ଗୁରୁତର ହୋଇଥିବା ଯୁବକ ରାକେଶ ବେହେରାଙ୍କ ପରିବାରକୁ ଡାକି ମଙ୍ଗଳବାର ରାତିରେ ପୁଲିସ ଥାନାରେ ଆଲୋଚନା କରିଥିଲା। ପୁଲିସ ଭୁଲ ସ୍ବୀକାର କରିବା ସହିତ ରାକେଶଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ଧାରଣା ହଟିଥିଲା। ଯେଉଁ ପୁଲିସ କର୍ମଚାରୀ ଏଭଳି ଅମାନୁଷିକ କାର୍ଯ୍ୟ ଘଟାଇଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି।
ସୂଚନା ଥାଉକି, ଗତ ୨୧ ତାରିଖରେ ଜଣେ ମହିଳାଙ୍କ ଅଧାପୋତା ମୃତଦେହ କାଠଯୋଡ଼ି ପଠାରୁ ଜବତ ହୋଇଥିଲା। ନିକଟସ୍ଥ ଗ୍ରାମରୁ କୌଣସି ମହିଳା ନିଖୋଜ ଅଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ପୁଲିସ ତଦନ୍ତକୁ କ୍ରିୟାଶୀଳ କରିଥିଲା। ତଦନ୍ତ ବେଳେ ବାରଙ୍ଗ ଚଣ୍ଡୀଗାଁର ରାକେଶ ବେହେରାଙ୍କ ସ୍ତ୍ରୀ ନିଖୋଜ ଥିବା ନେଇ ଗତ ୧୬ ତାରିଖରେ ଥାନାରେ ଏତଲା ହୋଇଥିଲା। କାଠଯୋଡ଼ି ନଦୀ ପଠାରୁ ମିଳିଥିବା ମୃତଦେହଟି ନିଖୋଜ ମହିଳାଙ୍କର ହୋଇଥିବା ପୁଲିସର ସନ୍ଦେହ ବଢ଼ିଥିଲା। ତଦନ୍ତ ଆଳରେ ଉକ୍ତ ଗ୍ରାମର ରାକେଶ ବେହେରା, ତାଙ୍କ ମା’ ଲକ୍ଷ୍ମୀପ୍ରିୟା ବେହେରା ଓ ରାକେଶଙ୍କ ସାଙ୍ଗ ମିଥୁନ ବେହେରାଙ୍କୁ ୪ଦିନ ତଳେ ଥାନାକୁ ଡାକି ପୁଲିସ ପଚରାଉଚରା କରିଥିଲା। ପଚରାଉଚରା ପରେ ମିଥୁନ ଓ ଲକ୍ଷ୍ମୀପ୍ରିୟାଙ୍କୁ ପୁଲିସ ଛାଡ଼ି ଦେଇଥିଲା। ରାକେଶଙ୍କ ସ୍ତ୍ରୀ ବିଷୟରେ ଅଧିକ ତଦନ୍ତ ଲାଗି ତାଙ୍କୁ ଅଟକ ରଖିଥିଲା। ପୁଲିସ ଥାନାରେ ରାକେଶଙ୍କୁ ୪ଦିନ ଅଟକ ରଖିବା ସହିତ ମାଡ଼ମାରି ମୃତ ମହିଳାଜଣକୁ ସ୍ତ୍ରୀ ବୋଲି ମାନିନେବାକୁ ଚାପ ପକାଇଥିଲା। ରାକେଶ ଏହା ସ୍ବୀକାର ନ କରିବାରୁ ପୁଲିସ ରାକେଶକୁ ପ୍ରବଳ ମାଡ଼ମାରି ଗୁରୁତର କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସୋମବାର ରାକେଶଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାକୁ ଆସି ମୋ ପୁଅକୁ ଦେଖାଅ ବୋଲି କହିଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ସୋମବାର ସନ୍ଧ୍ୟାରୁ ଗ୍ରାମବାସୀ ଥାନା ସମ୍ମୁଖରେ ରୁଣ୍ଡ ହୋଇ ରାକେଶକୁ ଦେଖାଇବା ପାଇଁ ଜିଦ୍ରେ ବସି ରହିଥିଲେ। ରାକେଶଙ୍କର କିଡ୍ନୀ ଡାଏଲିସିସ୍ ହେବ ବୋଲି ଡାକ୍ତର କହିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ରାତିରେ ପୁଅକୁ ନିକଟସ୍ଥ ଜଙ୍ଗଲକୁ ନେଇ ତା ଛାତିକୁ ଗୋଇଠା, ବିଧା ମାରିବା ଫଳରେ ତାର ଏକ କିଡ୍ନୀ ନଷ୍ଟ ହୋଇ ଯାଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି। ରାକେଶ ଏବେ ଗୁରୁତର ଅବସ୍ଥାରେ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି।
ତଦନ୍ତ ଆଳରେ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଘଟଣା ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବ ପୁଲିସ

