5 Nov 2026, Thu

ରାଉରକେଲାକୁ ଜାତୀୟ ସ୍ତରରେ ଆଉ ଏକ ବଡ଼ ସଫଳତା

ରାଉରକେଲା :  ରାଉରକେଲା ପୁଣିଥରେ ଜାତୀୟ ସ୍ତରରେ ଚମକିଛି। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗର ସହରଗୁଡ଼ିକ ମଧ୍ୟରେ ରାଉରକେଲା ପ୍ରଥମ ସ୍ଥାନ ଅଧିକାର କରିଛି।

ସ୍ୱଚ୍ଛ ବାୟୁ, ପ୍ରଦୂଷଣ ନିୟନ୍ତ୍ରଣ, ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ରାଉରକେଲା ମହାନଗର ନିଗମର ବିଭିନ୍ନ ପଦକ୍ଷେପକୁ ଏହି ସଫଳତାର ମୁଖ୍ୟ କାରଣ ବୋଲି ମନେ କରାଯାଉଛି।

ଏହା ସହିତ ରାଉରକେଲାର ୱାର୍ଡ ନମ୍ବର ୧୩ ମଧ୍ୟ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ୱାର୍ଡ ନମ୍ବର ୧୪ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ପାଇଛି।

ସ୍ୱଚ୍ଛ ବାୟୁ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ପର୍ଯ୍ୟାବରଣ ଭବନର ଗଙ୍ଗା ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗୀର ପୁରସ୍କାର ଗ୍ରହଣ କରିଥିଲେ।

ରାଉରକେଲାରେ ଘନ ବର୍ଜ୍ୟର ବୈଜ୍ଞାନିକ ପୃଥକୀକରଣ ଓ ପରିଚାଳନା, ପୁରୁଣା ବର୍ଜ୍ୟର ବାୟୋମାଇନିଂ, ବାୟୋମାସ୍ ପେଲେଟ୍ ପ୍ଲାଣ୍ଟ ସ୍ଥାପନ, ରାସ୍ତାର ଧୂଳି ନିୟନ୍ତ୍ରଣ ପାଇଁ ମେକାନିକାଲ୍ ସ୍ୱିପିଂ ଏବଂ ସ୍ପ୍ରିଙ୍କଲର୍ ବ୍ୟବହାର ଭଳି ପଦକ୍ଷେପ ନିଆଯାଇଛି।

ସହରର ବିଭିନ୍ନ ବ୍ୟସ୍ତ ସ୍ଥାନରେ ବାୟୁ ବିଶୋଧକ ମଧ୍ୟ ସ୍ଥାପନ କରାଯାଇଛି। ବିଶେଷକରି PM2.5 ଓ PM10 ଭଳି କଣିକାଜନିତ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି।

ରାଉରକେଲାର ଏହି ଜାତୀୟ ସ୍ତରର ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ମହାନଗର ନିଗମ, ସଫେଇ କର୍ମଚାରୀ ଓ ସହରବାସୀଙ୍କ ସାମୂହିକ ପ୍ରୟାସକୁ ପ୍ରଶଂସା କରାଯାଇଛି। ଏହି ସମ୍ମାନ ରାଉରକେଲାକୁ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ସହର ଭାବେ ଆହୁରି ମଜବୁତ ପରିଚୟ ଦେଇଛି।

Leave a Reply

Your email address will not be published. Required fields are marked *