13 Sep 2026, Sun

ନାକଟିଦେଉଳରେ ସ୍କୁଲ ପରିସରରେ ଦଶ ବର୍ଷୀୟ ଛାତ୍ରଙ୍କୁ ତୀରମାଡ଼ , ଅଳ୍ପକେ ବର୍ତ୍ତିଲେ

ନାକଟିଦେଉଳ, ୭ ସେପ୍ଟେମ୍ବର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅଞ୍ଚଳରେ ସ୍କୁଲ ପରିସରରେ ଜଣେ ୧୦ ବର୍ଷୀୟ ଛାତ୍ରଙ୍କୁ ତୀରମାଡ଼ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଛାତ୍ରଜଣକ ଅଳ୍ପକେ ଆହତ ହେବାରୁ ବର୍ତ୍ତି ଯାଇଛନ୍ତି। ତୀରଟି ତାଙ୍କ ପିଠିରେ ଥିବା ସ୍କୁଲ ବ୍ୟାଗ୍‌ରେ ବାଜିଥିବା ଜଣାପଡ଼ିଛି।

ଘଟଣାଟି ନାକଟିଦେଉଳ ବ୍ଲକ୍‌ ସାଲେଭଟା ଗ୍ରାମପଞ୍ଚାୟତ ଅଧୀନ କେଉଟ ବେର୍ଣ୍ଣି ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଆକ୍ରମଣର ଶିକାର ଛାତ୍ର ହେଉଛନ୍ତି ସୌମ୍ୟରଞ୍ଜନ ଧଳ। ସେ ଅମୂଲ୍ୟ ଧଳଙ୍କ ପୁଅ ଏବଂ ସେହି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଛାତ୍ରଜଣକ ସ୍କୁଲରେ ଥିବା ସମୟରେ ତାଙ୍କୁ ଲକ୍ଷ୍ୟ କରି ତୀର ଛଡ଼ାଯାଇଥିଲା। ତେବେ ତୀରଟି ଛାତ୍ରଙ୍କ ଶରୀରରେ ନବାଜି ତାଙ୍କ ସ୍କୁଲ ବ୍ୟାଗ୍‌ରେ ବାଜିଥିଲା। ଫଳରେ ଏକ ବଡ଼ ଅଘଟଣରୁ ଛାତ୍ରଜଣକ ରକ୍ଷା ପାଇଛନ୍ତି।

ପୂର୍ବ ଶତ୍ରୁତା କିମ୍ବା କୌଣସି ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଘଟଣା ପରେ ନାକଟିଦେଉଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଫେରାର ଥିବା ଅଭିଯୋଗରେ ମୁଚି ସାହୁଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ସ୍କୁଲ ପରିସରରେ ଜଣେ ଛାତ୍ରଙ୍କୁ ଏଭଳି ଭାବେ ଲକ୍ଷ୍ୟ କରି ତୀର ଛଡ଼ାଯିବା ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ତଦନ୍ତ ଆଗକୁ ବଢ଼ିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *