20 Sep 2026, Sun

ବଗଲାମୁଖୀ ମନ୍ଦିର ନିକଟରେ କାର୍ ଭାସି ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୁବନେଶ୍ୱର : ବର୍ଷାଜଳରେ ଫୁଲିଥିବା ନାଳ ପାର ହେବା ସମୟରେ ଏକ କାର୍ ପ୍ରବଳ ସ୍ରୋତରେ ଭାସିଯିବାରୁ ୮ ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ଅନ୍ତର୍ଗତ ନଳଖେଡାସ୍ଥିତ ମା’ ବାଗଲାମୁଖୀ ମନ୍ଦିର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଓଡ଼ିଶାରୁ ଏକ ପରିବାର ତୀର୍ଥଯାତ୍ରାରେ ମଧ୍ୟପ୍ରଦେଶ ଯାଇଥିଲେ। ସେମାନେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର ଦର୍ଶନ କରିବା ପରେ ନଳଖେଡାର ମା’ ବାଗଲାମୁଖୀ ମନ୍ଦିର ଯାଉଥିଲେ। ଏହି ସମୟରେ ମନ୍ଦିର ନିକଟରେ ଥିବା ଏକ ନାଳରେ ବର୍ଷାଜଳ ପ୍ରବାହିତ ହେଉଥିଲା। କାର୍‌ଟି ନାଳ ପାର ହେବାକୁ ଚେଷ୍ଟା କରୁଥିବାବେଳେ ପ୍ରବଳ ଜଳସ୍ରୋତରେ ଭାସିଯାଇଥିଲା।

ଘଟଣାରେ କାର୍‌ରେ ଥିବା ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ୭ ଜଣ ଗୋଟିଏ ପରିବାରର ସଦସ୍ୟ ଥିବାବେଳେ ଅନ୍ୟଜଣ କାର୍ ଚାଳକ ବୋଲି ସୂଚନା ମିଳିଛି।

ଦୁର୍ଘଟଣାର ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପ୍ରବଳ ଜଳସ୍ରୋତ ମଧ୍ୟରୁ କାର୍‌ଟିକୁ ଉଦ୍ଧାର କରାଯାଇଥିଲା। ତେବେ କାର୍‌ରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

ଗତ କିଛି ସମୟ ଧରି ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ନାଳରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା। ପ୍ରବଳ ସ୍ରୋତ ଯୋଗୁ କାର୍‌ଟି ନିୟନ୍ତ୍ରଣ ହରାଇ ଭାସିଯାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।

ଏହି ଦୁର୍ଘଟଣା ଓଡ଼ିଶାରେ ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳାଇଛି। ମୃତଦେହଗୁଡ଼ିକୁ ଜବତ କରି ପୁଲିସ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରଖିଛି।

ବର୍ଷା ଋତୁରେ ଫୁଲିଥିବା ନାଳ ଓ ନଦୀ ପାର ହେବା ସମୟରେ ଯାତ୍ରୀ ଓ ଯାନବାହନ ଚାଳକଙ୍କୁ ସତର୍କ ରହିବାର ଆବଶ୍ୟକତାକୁ ଏହି ଦୁଃଖଦ ଘଟଣା ପୁଣିଥରେ ସ୍ମରଣ କରାଇଛି।

Leave a Reply

Your email address will not be published. Required fields are marked *